ଆଫଗାନିସ୍ତାନ ସଂଗୀତ ଆକାଶରେ କଳା ବାଦଲ, ଲୁଚିଛପି ଦେଶ ଛାଡ଼ୁଛନ୍ତି ସଂଗୀତଜ୍ଞ

କାବୁଲ : ଆଫଗାନିସ୍ତାନ ସଂଗୀତ ଆକାଶରେ କଳା ବାଦଲ । ଆଫଗାନିସ୍ତାନରେ ନିରବି ଯାଇଛି ସଂଗୀତ । ବନ୍ଦ ହୋଇ ଯାଇଛି ବାଦ୍ୟ ଯନ୍ତ୍ରର ମୂର୍ଛନା । ଶୁଭୁନି କଣ୍ଠଶିଳ୍ପୀଙ୍କ ସ୍ୱର । ସଂଗୀତ ଆଉ ସଂଗୀତଜ୍ଞଙ୍କ ଉପରେ ତାଲିବାନଙ୍କ ଜାରି ରହିଛି ଅତ୍ୟାଚାର । ତାଲିବାନୀ ସାମ୍ରାଜ୍ୟରେ ସଂଗୀତ ବ୍ୟାନ୍ । କଳାକାରଙ୍କୁ ଆକ୍ରମଣ ଆଉ ହତ୍ୟା । ପ୍ରାଣ ବିକଳରେ ଲୁଚିଛପି ଦେଶ ଛାଡ଼ୁଛନ୍ତି ସଂଗୀତଜ୍ଞ । ଲୋକ ସଂଗୀତ ଗାୟକ ଫୟାଦ ଅନ୍ଦରାବୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ତାଲିବାନ କମାଣ୍ଡୋ

ଅନ୍ଦରାବ ଅଞ୍ଚଳର କିଷ୍ନାବାଦ ଗାଁରେ ଫଓ୍ଵାଦଙ୍କ ଘର । ଲୋକ ସଂଗୀତରେ ବେଶ ଖ୍ୟାତି ଥିଲା ତାଙ୍କର । ପାସ୍ତୁନ ବିବାହରେ ଲୋକସଂଗୀତର ପରମ୍ପରା ରହିଛି। ଫଓ୍ଵାଦଙ୍କ ଭଳି ଲୋକ ସଂଗୀତ ଗାୟକମାନେ ଆଫଗାନିସ୍ତାନରେ ବିବାହ ଉତ୍ସବରେ ସଂଗୀତ ପରିବେଷଣ କରିଥାନ୍ତି । ଏବେ ସଂଗୀତ ଛାତିରେ ଲାଗିଛି ତାଲିବାନ ବନ୍ଧୁକ । ୨୦୦୧ରେ ତାଲିବାନ ପତନ ପରେ ପୁଣି ଶୁଭିଥିଲା ସଂଗୀତର ମୂର୍ଛନା । ପୁଣି ବୃତ୍ତିକୁ ଫେରିଥିଲେ କଳାକାର ।

୨୦ ବର୍ଷ ପରେ ତାଲିବାନ ବଦଳି ଯାଇଥିବା ଭାବିଥିଲେ ସଂଗୀତଜ୍ଞ । ହେଲେ କିଛି ବଦଳିନି ତାଲିବାନ । ପୁଣି ଶାସନକୁ ଫେରିବା ପରେ ଟାର୍ଗେଟ୍ରେ ସଂଗୀତ ଆଉ ସଂଗୀତଜ୍ଞ । କେବଳ ତାଲିବାନ ଆନ୍ଥେମ୍କୁ ଛାଡ଼ି ଆଉ ସବୁ ସଂଗୀତ ବନ୍ଦ । ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ଏଫଏମ୍ ସେଣ୍ଟରରେ ତାଲା ପଡ଼ୁଛି। ରେଡିଓ ସେଣ୍ଟରରେ ସାରିଆ ସ୍ୱର । ସଂଗୀତଶାଳା ଉପରେ ଚାଲିଛି ଆକ୍ରମଣ । ବାଦ୍ୟ ଯନ୍ତ୍ର ଭାଙ୍ଗି ଦେଉଛନ୍ତି ତାଲିବାନ କମାଣ୍ଡୋ। କଳାକାରଙ୍କୁ ଖୋଜୁଛନ୍ତି କୁଆଡ଼େ ଗଲେ ।

ସ୍ଥିତି ଏମିତି ଯେ, ଆଫଗାନିସ୍ତାନରୁ ଲୁଚିଛପି ବିଦେଶ ପଳାଉଛନ୍ତି କଳାକାର । ଏହା ଭିତରେ ଅନେକ କଳାକାର ଦେଶ ଛାଡ଼ିଲେଣି । ଯିଏ ଅଛନ୍ତି ଲୁଚିଛପି ରହୁଛନ୍ତି । ବେଆଇନ୍ ଭାବେ ବହୁ କଳାକାର ପାକିସ୍ତାନ ପଳାଇ ଯାଇଛନ୍ତି । ପାକିସ୍ତାନର ବିଭିନ୍ନ ସହରରେ ମୁହଁ ଲୁଚାଇ ଦିନ କାଟୁଛନ୍ତି । ସେଠି ବି ସୁରକ୍ଷା ଡ଼ର । ପାକିସ୍ତାନ ଛାଡ଼ି ସେମାନେ ଅନ୍ୟ ଦେଶକୁ ପଳାଇବାକୁ ଚାହୁଁଛନ୍ତି । ଯେଉଁଠି ପୁଣି ନିର୍ଭୟରେ ଗାଇ ପାରିବେ ସଂଗୀତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.