ଭାରତ ଓ ଚୀନ ମଧ୍ୟରେ ଏବେ ସମ୍ପର୍କ ତିକ୍ତ ରହିଛି। ଲଦାଖର ଗଲୱାନ ଘାଟିରେ ଗତ ଜୁନ ୧୪ରେ ହୋଇଥିବା ରକ୍ତ ସଂଘର୍ଷ ପରେ ସମ୍ପର୍କ ଆହୁରି ଖରାପ ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ଭାରତୀୟମାନେ ଚାଇନା ମାଲ ବ୍ୟାନ କରିବାକୁ ଡାକରା ଦେଇଛନ୍ତି। ତେବେ ଏଭଳି ଉଦବେଗଜନକ ସ୍ଥିତିରେ ପ୍ରଥମ ଥର ପାଇଁ ଭାରତରୁ ଚାଉଳ କିଣିବାକୁ ଆଗ୍ରହ ଦେଖାଇଛି ଚୀନ। ୩୦ ବର୍ଷ ପରେ ଏଭଳି ଚମତ୍କାର ହେବାକୁ ଯାଉଛି।
ବିଦେଶକୁ ଚାଉଳ ରପ୍ତାନି କରିବା ମାମଲାରେ ଭାରତ ଏକ ନମ୍ବର ସ୍ଥାନରେ ଥିବା ବେଳେ ଆମଦାନୀ କରିବାରେ ଚୀନ ଏକ ନମ୍ବରରେ ଅଛି। କିନ୍ତୁ ଚୀନ କେବେ ବି ଭାରତରୁ ଚାଉଳ କିଣେ ନାହିଁ। ଭାରତର ଚାଉଳ ନିମ୍ନ ମାନର ବୋଲି କହି ଚୀନ ପ୍ରତିବର୍ଷ ଥାଇଲାଣ୍ଡ, ଭିଏତନାମ, ପାକିସ୍ତାନ ପ୍ରମୁଖ ଦେଶରୁ ଚାଉଳ କିଣେ। କିନ୍ତୁ ଏବର୍ଷ ଚୀନ ଭାରତରୁ ଚାଉଳ କିଣୁଛି।
ପୂର୍ବରୁ ଯେଉଁ ଦେଶରୁ ଚୀନ ଚାଉଳ କିଣୁଥିଲା ଏବେ ସେଠାରେ ବିଭିନ୍ନ କାରଣରୁ ଚାଉଳର ଅଭାବ ଦେଖାଦେଇଛି। ଅନ୍ୟପଟେ ଭାରତ ଏବେ ଅଧିକ ରିହାତିରେ ଚାଉଳ ବିକୁଥିବାରୁ ଚୀନ ଏହି ସୁଯୋଗକୁ ହାତଛଡା କରିବାକୁ ଚାହିଁନି। ଏଣୁ ଚଳିତବର୍ଷ ଚୀନ ଭାରତରୁ ୧ଲକ୍ଷ ଟନ୍ ଚାଉଳ ଆମଦାନୀ କରିବାକୁ ଆଗ୍ରହ ପ୍ରକାଶ କରିଛି। ଭାରତରୁ ଟନ୍ ପିଛା ୨୨,୧୩୨ ଟଙ୍କାରେ ଚୀନକୁ ଚାଉଳ ରପ୍ତାନି କରାଯିବ ବୋଲି ଚାଉଳ ରପ୍ତାନିକାରୀ ସଂଘର ସଭାପତି ବିବି କ୍ରିଷ୍ଣା ରାଓ କହିଛନ୍ତି।