ତିନିି ଦିନ ୬୫ ଘଣ୍ଟା ବିତିଲା ପରେ ବି ତନ୍ମୟ ଉଦ୍ଧାର କାର୍ଯ୍ୟ ଜାରି, ପାଖାପାଖି ପହଞ୍ଚିଲେ ଉଦ୍ଧାରକାରୀ ଦଳ

ବୈତୁଲ (ମଧ୍ୟପ୍ରଦେଶ) : ଚାରିଶହ ଫୁଟର ବୋରେଓ୍ଵଲ ଭିତରେ ଚାରି ଦିନ ହେଲା ପଡ଼ି ରହିଛି ୮ ବର୍ଷର ଶିଶୁ । ୬୫ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ବି ତା ପାଖରେ ପହଞ୍ଚି ପାରିନାହାନ୍ତି ଉଦ୍ଧାରକାରୀ ଦଳ । କାହିଁକି ତନ୍ମୟ ସାହୁ ପାଖରେ ପହଞ୍ଚି ପାରୁନାହାନ୍ତି ସେମାନେ ? ଏବେ ଏଇ ପ୍ରଶ୍ନ ସମସ୍ତଙ୍କ ମନରେ ।

ତନ୍ମୟର ମା ଏବଂ ଘର ଲୋକ ଭାରି ବ୍ୟସ୍ତ ଓ ବିବ୍ରତ ହୋଇ ପଡ଼ିଛନ୍ତି । କାରଣ ସେମାନେ ଆଶା ରଖିଥିଲେ ଯେ ଅତି ବେଶିରେ ଦିନେ କି ଦୁଇ ଦିନ ଭିତରେ ଉଦ୍ଧାରକାରୀ ଦଳ ପୁଅ ପାଖରେ ପହଞ୍ଚିଯିବେ । ହେଲେ ୪୦୦ ଫୁଟର ବୋରେଓ୍ଵଲ ଭିତରେ ପଡ଼ିଥିବା ତନ୍ମୟ ପାଇଁ ବାହାର ପଟୁ ୪୫ ଫୁଟ ହିଁ ଖୋଳା ଯାଇ ପାରିଛି ।
ମଧ୍ୟପ୍ରଦେଶ ବୈତୁଲ ଅନ୍ତର୍ଗତ ମାଣ୍ଡାଭି ଠାରେ ଏହି ଘଟଣା ଘଟିଛି । ଗତ ମଙ୍ଗଳବାର ଦିନ ତନ୍ମୟ ଖେଳୁଥିବା ବେଳେ ବୋରେଓ୍ଵଲ ଭିତରେ ଖସି ପଡ଼ିଥିଲା । ତାର ସୁରକ୍ଷିତ ଉଦ୍ଧାର ପାଇଁ ତା ସ୍କୁଲ ସାଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗାୟତ୍ରୀ ମନ୍ତ୍ର ଜପୁଛନ୍ତି । ମା ଜ୍ୟୋତି ସାହୁ କାନ୍ଦି କାନ୍ଦି ଅଥୟ ହୋଇଗଲେଣି । ଥରେ ପୁଅକୁ ଦେଖିବାକୁ ବ୍ୟକୁଳ ହେଉଛନ୍ତି । ଏତେ ସମୟର ଅପେକ୍ଷା ପରେ ବି ପୁଅ ସମ୍ପର୍କରେ କିଛି ଭଲ ଖବର ଶୁଣିବାକୁ ପାଉ ନାହାନ୍ତି । ତେଣୁ ରାଗି ଯାଇଛନ୍ତି ଏବଂ କହୁଛନ୍ତି ‘ତନ୍ମୟ ଯଦି କୌଣସି ବଡ଼ ଅଫିସରଙ୍କ ପୁଅ ହୋଇଥାନ୍ତା ତାହାହେଲେ କଣ ଉଦ୍ଧାର ପାଇଁ ଏମାନେ ଏତେ ସମୟ ଲଗାଇଥାନ୍ତେ ? ସେ ଯାହାବି ହେଉ ମୋତେ ମୋ ପୁଅ ଦରକାର’ ।

ଏପଟେ ବୈତୁଲର ଏଡିଏମ୍‌ ଶ୍ୟାମେନ୍ଦ୍ର ଜୟସ୍ୱାଲ କହିଛନ୍ତି କି ୪୫ ଫୁଟ ଖୋଳିବା ପରେ ମାଟି ଭିତରେ ଏବେ ଟାଣ ପଥର ସ୍ତର ପଡ଼ି ଯାଇଛି । ତେଣୁ ଖୋଳିବାରେ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଏହାପରେ ଏକ ସମାନ୍ତରାଳ ଗାତ ଖେଳିବାକୁ ସ୍ଥିର ହୋଇଛି । ସେହିବାଟ ଦେଇ ତନ୍ମୟ ପାଖରେ ପହଞ୍ଚିବାକୁ ଚେଷ୍ଟା ଜାରି ରହିଛି ।

ହେଲେ ଉଦ୍ଧାର କାର୍ଯ୍ୟରେ ଅନେକ ପ୍ରକାର ଚ୍ୟାଲେଞ୍ଜ ରହିଛି । ପ୍ରଥମେ ୨୫ ଫୁଟ ଯାଏ ଖୋଳା ଯିବା ପରେ ଭୂତଳ ଜଳ ଗାତ ଭିତରେ ପଶିଲା । ଏହାକୁ ପମ୍ପ ଦ୍ୱାରା ବାହାର କରାଯାଇ ଖୋଳା କାମ ଚାଲିଲା । ଅଉ ଗୋଟିଏ ସମସ୍ୟା ଏବେ ଉଦ୍ଧାର କାର୍ଯ୍ୟକୁ ବିଳମ୍ବ କରିଛି । ବୋରେଓ୍ଵଲ ପାଖରେ ଖେଳା ଯାଉଥିବା ଗାତ ମେସିନ ଦ୍ୱାରା ଖେଳା ଯାଉଥିଲା । ତେବେ ପଥୁରିଆ ଜାଗା ହେତୁ ମେସିନର କମ୍ପନରେ ତନ୍ମୟ ତଳକୁ ତଳକୁ ଖସିବାକୁ ଲାଗିଲା । ତେଣୁ ବାଧ୍ୟ ହୋଇ ମେସିନ୍‌ ଦ୍ୱାରା ଖେଳା ନଯାଇ ଏବେ ଉଦ୍ଧାରକାରୀମାନେ ହାତରେ ଗାତ ଖୋଳିବା ଆରମ୍ଭ କରିଛନ୍ତି । ଯାହା କୁହାଯାଉଛି ସେମାନଙ୍କୁ ତନ୍ମୟ ପାଖରେ ପହଞ୍ଚିବା ପାଇଁ ଆଉ ଅଳ୍ପ ସମୟ ଲାଗିବ । ଏବେ କ୍ୟାମେରା ଦ୍ୱାରା ତାର ଗତିବିଧି ଉପରେ ନଜର ରଖାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ ୪୦୦ ଫୁଟ ବୋରେଓ୍ଵଲ ଭିତରେ ପ୍ରାୟ ୫୦ କି ୬୦ ଫୁଟ ତଳେ ତନ୍ମୟ ଫସି ରହିଛି । ଏନ୍‍ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଅବଶ୍ୟ ତନ୍ମୟ ଠାରୁ କିଛି ସିଗନାଲ ମିଳୁ ନାହିଁ ।

 

Leave A Reply

Your email address will not be published.