ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା, ପୁଟିନ ପରମାଣୁ ଆକ୍ରମଣ ନିୟମ ବଦଳାଇବା ପରେ ଛନକା
ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା । ପୁଟିନ ପରମାଣୁ ଆକ୍ରମଣ ନିୟମ ବଦଳାଇବା ପରେ ଛନକା । ରୁଷ-ଯୁକ୍ରେନ ଯୁଦ୍ଧକୁ ହଜାରେ ଦିନ ପୂରିଥିବା ବେଳେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ପୁଟିନ । ୟୁକ୍ରେନର ଲଂଗ ରେଞ୍ଜ ମିସାଇଲ ଆକ୍ରମଣ ପରେ ପ୍ରତିକ୍ରିୟାଶୀଳ ହୋଇଛି ରୁଷ । ୟୁକ୍ରେନ ରୁଷ ଉପରେ ୬ଟି ଆମେରିକା ନିର୍ମିତ ATACMS ମିସାଇଲ ମାଡ଼ କରିଥିବା ବେଳେ ସମସ୍ତ ମିସାଇଲକୁ ଖସାଇ ଦେଇଥିବା ରୁଷ ଦାବି କରିଛି ।
ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ରୁଷ ପ୍ରସ୍ତୁତ ହେଉଥିବା ବେଳେ ପରମାଣୁ ଅସ୍ତ୍ରର ବ୍ୟବହାର ପାଇଁ ନିୟମ ବଦଳାଇଛନ୍ତି ପୁଟିନ । ନୂଆ ପରମାଣୁ ନୀତିରେ ମୋହର ମାରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସମ୍ଭାବ୍ୟ ବିଶ୍ୱ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ନାଟୋର ସଦସ୍ୟ ଦେଶଗୁଡିକ । ଆଣବିକ ଯୁଦ୍ଧ ହେଲେ ଆଶ୍ରୟସ୍ଥଳୀକୁ ଚାଲି ଆସିବାକୁ ସ୍ୱିଡେନ ସରକାର ନିଜ ନାଗରିକମାନଙ୍କୁ ସତର୍କ କରିବା ସହ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ନରୱେ ସରକାର ମଧ୍ୟ ନିଜ ଦେଶର ନାଗରିକମାନଙ୍କୁ ଖାଦ୍ୟ ଓ ଜରୁରୀ ସାମଗ୍ରୀ ମହଜୁଦ କରି ରଖିବାକୁ ପରାମର୍ଶ ଦେଇଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିସ୍ ପ୍ଲାନ୍ ପ୍ରସ୍ତୁତ କରୁଥିବା ବେଳେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତ୍ତି ଏବେ ସାରା ବିଶ୍ୱକୁ ଯୁଦ୍ଧ ମୁହଁକୁ ଠେଲି ଦେଇଛି । ୟୁକ୍ରେନ ପାଇଁ ଆଣ୍ଟି ପର୍ସୋନେଲ ମାଇନ୍ସକୁ ବାଇଡେନ ଅନୁମୋଦନ କରିଛନ୍ତି ।