ମୃତ୍ୟୁ ପରେ ବି ପୁଅ ହାତକୁ ଛାଡ଼ି ନଥିଲା ମା’, ନାଳରେ ବୁଡ଼ି ଉଭୟଙ୍କ ଜୀବନ ଗଲା

ବର୍ତ୍ତମାନ ବନ୍ୟା ପାଣି ନେଉଛି ଜୀବନ । ବନ୍ୟା କବଳରେ ଦେଶର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକେ । ନିକଟରେ ଓ୍ଵାୟନାଡରେ ହୋଇଥିବା ଭୂସ୍ଖଳନରେ କେତେ ଯେ ଅମୂଲ୍ୟ ଜୀବନ ଗଲାଣି ଆପଣମାନେ ନିଶ୍ଚିତ ଜାଣିଥିବେ । ୩୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତଦେହ ମିଳିଥିବାବେଳେ ମାଟିତଳେ ପୋତି ହୋଇଥିବା ଲୋକଙ୍କ ସନ୍ଧାନ ଏବେ ବି ଜାରି ରହିଛି । ଦେଶର ବିଭିନ୍ନ ରାଜ୍ୟରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ସିମଲାରେ ମଧ୍ୟ ଭୂସ୍ଖଳନ ହୋଇଥିଲା । ଯେଉଁଥିରେ ୪୦ରୁ ଅଧିକ ଲୋକ ନିଖୋଜ ଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହା ଭିତରେ ଦିଲ୍ଳୀରେ ଘଟିଥିବା ଅଘଟଣ ବିଷୟରେ ଆପଣଙ୍କୁ ନିଶ୍ଚୟ କହିବୁ । ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଦିଲ୍ଲୀ । ରାସ୍ତା ଘାଟରେ ବନ୍ୟାଜଳ ଭରି ଯାଇଥିବାରୁ ଦିଲ୍ଳୀର ଲୋକମାନେ ପାଣିଘେରରେ ରହିଛନ୍ତି । ଆଉ ଏହା ଭିତରେ ଆମ ପାଖକୁ ଏଭଳି ଏକ ଦୁଃଖଦ ଖବର ଆସିଛି ଯାହା ବିଷୟରେ ଆମେ ଆପଣଙ୍କୁ ନିଶ୍ଚୟ ଜଣାଇବୁ । ଆଉ ଘଟଣା ବିଷୟରେ ଜାଣିବା ପରେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

ଦିଲ୍ଲୀର ୟୁପି ସୀମା ନିକଟରେ ଥିବା ଗାଜିପୁର ଅଞ୍ଚଳର ଖୋଡା କଲୋନୀରେ ଘଟିଛି ଏକ ଦୁଃଖଦ ଘଟଣା । ଏଠାରେ ଜଣେ ମା’ ଓ ପୁଅର ଜୀବନ ଏମିତି ଯାଇଛି ଯେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଜଣେ ମା’ ନିଜ ପିଲାକୁ କେତେ ଯେ ଭଲ ପାଏ ତାହା ଏହି ଘଟଣାରୁ ପ୍ରକାଶ ପାଉଛି । ଦିଲ୍ଲୀର ସବୁସ୍ଥାନରେ ପାଣିର ସ୍ତର ଏତେ ଅଧିକ ରହିଛି ଯେ ରାସ୍ତା କେଉଁଠି ଆଉ ନାଳ କେଉଁଠି ତାହା ଜଣାପଡ଼ୁନାହିଁ । କିନ୍ତୁ ଲୋକମାନେ ଖାଦ୍ୟ ପାଇଁ ବାଧ୍ୟ ହୋଇ ଘରୁ ବାହାରୁଛନ୍ତି । ସମାନ ଭାବେ ବୁଧବାର ଦିନ ସନ୍ଧ୍ୟା ୭.୩୦ ମିନିଟ ସମୟରେ ୨୩ ବର୍ଷିୟା ତନୁଯା ନିଜ ୩ ବର୍ଷର ପୁଅ ପ୍ରିୟାଂଶକୁ ସାଙ୍ଗରେ ଧରି ପରିବା ପାଇଁ ମାର୍କେଟକୁ ଯାଇଥିଲେ । କିନ୍ତୁ ସେ କେବେ ବି ଭାବି ନଥିଲେ ଯେ ସେ ଓ ତାଙ୍କ ପୁଅ ଆଉ କେବେ ଘରକୁ ଫେରିବେନି । ପରିବା କିଣି ଘରକୁ ଫେରୁଥିଲେ କିନ୍ତୁ ରାସ୍ତା ମଝିରେ ଘଟିଗଲା ଅଘଟଣ । ଯେଉଁ ରାସ୍ତାରେ ସେମାନେ ଘରକୁ ଫେରୁଥିଲେ ସେ ରାସ୍ତାରେ ପାଣି ଭରି ରହିଥିଲା । ରାସ୍ତାରେ କେଉଁଠି ନାଳ ରହିଛି ଜମା ବି ଜଣା ପଡ଼ୁନଥିଲା । ମା’ ଓ ପୁଅ ପାଣି ଭିତରେ ପଶି ଆସୁଥିବା ସମୟରେ ଦୈବାତ ତନୁଯାଙ୍କ ହାତରୁ ପୁଅର ହାତ ଖସି ଯାଇଥିଲା । ଆଉ ଆଖି ପିଛୁଳାକେ ରାସ୍ତା ପାଖ ନାଳ ଭିତରେ ପଡ଼ି ଯାଇଥିଲା ପ୍ରିୟାଂଶ । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ପ୍ରିୟାଂଶ ଭାସି ଯାଇଥିଲା । ଆଉ ପୁଅକୁ ବଞ୍ଚେଇବା ପାଇଁ ତନୁଯା କିଛି ନ ଭାବି ନ ଚିନ୍ତି ସିଧା ପାଣି ଭିତରକୁ ଡେଇଁ ପଡ଼ିଥିଲେ । କିନ୍ତୁ ପାଣିର ସୁଅ ଏତେ ଅଧିକ ଥିଲା ଯେ ନା ପୁଅକୁ ବଞ୍ଚାଇ ପାରିଲେ ନା ନିଜେ ବଞ୍ଚି ପାରିଲେ । କ୍ଷଣିକରେ ଦୁଇଟି ଅମୂଲ୍ୟ ଜୀବନ ନିଶ୍ଚିହ୍ନ ହୋଇଗଲା ।

ସେଠାରେ ଉପସ୍ଥିତ ଥିବା ଲୋକମାନେ ମା’ ପୁଅଙ୍କୁ ଖୋଜାଖୋଜି କରିବାକୁ ବହୁ ଚେଷ୍ଟା କଲେ କିନ୍ତୁ ସେମାନଙ୍କୁ ବଞ୍ଚାଇ ପାରିଲେନି । କିଛି ସମୟର ସର୍ଚ୍ଚ ଅପରେସନ ପରେ ପ୍ରାୟ ୫୦୦ ମିଟର ଦୂରରେ ମା’ ପୁଅଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ମା’ ଓ ପୁଅର ମୃତ ଶରୀର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ । କାହିଁକି ନା ମୃତ୍ୟୁ ପରେ ବି ମା’ ନିଜ ପୁଅର ହାତକୁ ଛାଡ଼ି ନଥିଲା । ସଙ୍ଗେ ସଙ୍ଗେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

କୁହାଯାଉଛି ଖୋଡ଼ା କଲୋନୀର ଏକ ନିର୍ମାଣଧୀନ ନାଳରେ ବୁଡ଼ି ମା’ ପୁଅଙ୍କ ମୃତ୍ୟୁ ହୋଇଛି । ପାଣିର ସ୍ତର ଅଧିକ ଥିବାରୁ ନାଳଟି ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯାଇଥିଲା ଯେଉଁ କାରଣରୁ ଏମିତି ଅଘଟଣ ଘଟିଲା । ତେବେ ପରିବାର ଲୋକଙ୍କ କହିବା ଅନୁସାରେ ଯଦି ଉଦ୍ଧାରକାର୍ଯ୍ୟ ଶୀଘ୍ର ହୋଇଥାନ୍ତା ହୁଏତ ମା’ ପୁଅ ବଞ୍ଚି ପାରିଥାନ୍ତେ ।

ପ୍ରତ୍ୟେକ ବର୍ଷ ଏମିତି ଅଘଟଣ ଘଟୁଛି କିନ୍ତୁ ଏହା ପରେ ବି ଚେତୁ ନାହିଁ ପ୍ରଶାସନ । ବର୍ଷା ପୂର୍ବରୁ କାହିଁକି ନାଳ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସରୁନି ? କାହିଁକି ନାଳକୁ ଖୋଲା ଛଡ଼ାଯାଉଛି ? ଏଭଳି ପ୍ରଶ୍ନ ଉଠାଇଛନ୍ତି ଜନସାଧାରଣ । ଯଦି ବର୍ଷା ହେବା ପୂର୍ବରୁ ହିଁ ପ୍ରଶାସନ ପଦକ୍ଷେପ ନିଅନ୍ତା ହୁଏତ ଏଭଳି ଅଘଟଣ ଘଟିବ ନାହିଁ ।

You might also like