କାଳୀ ପୋଷ୍ଟର ପରେ ମହାଦେବଙ୍କୁ ଅସମ୍ମାନ, ଭାଇରାଲ ହେଉଛି ଶିବଙ୍କ ସିଗାରେଟ୍‌ ଟାଣୁଥିବା ବ୍ୟାନର

ଡକ୍ୟୁମେଣ୍ଟାରୀ ଫିଲ୍ମ କାଳୀକୁ ନେଇ ବିବାଦ ଥମିନଥିବା ବେଳେ ଏବେ ଭଗବାନ ଶିବଙ୍କ ସିଗାରେଟ୍‌ ଟାଣୁଥିବା ବ୍ୟାନର କନ୍ୟାକୁମାରୀରେ ଲଗାଯାଇଛି। କାଳୀ ପୋଷ୍ଟରରୁ ଲାଗି ରହିଥିବା ବିବାଦ ପରେ ତାମିଲନାଡ଼ୁର କନ୍ୟାକୁମାରୀରୁ ଆଉ ଏକ ବିବାଦୀୟ ମାମଲା ସାମ୍ନାକୁ ଆସିଛି। ଏଠାରେ ଭଗବାନ ଶିବଙ୍କର ସିଗାରେଟ୍‌ ପିଉଥିବା ଏକ ବ୍ୟାନର ଲଗାଯାଇଛି। ଖବର ପାଇ ପୋଲିସ ବ୍ୟାନର ଲଗାଇଥିବା ଲୋକଙ୍କୁ ଥାନାକୁ ଡାକି ଚେତାବନୀ ଦେଇଛି। ବିବାଦ ବଢ଼ିବାରୁ ପୋଲିସ ବ୍ୟାନରକୁ କାଢ଼ି ଦେଇଥିବା ଜଣାଯାଇଛି।

ସୋସିଆଲ ମିଡିଆରେ ଏବେ ଏହି ବ୍ୟାନରର ଫଟୋ ଭାଇରାଲ ହେଉଛି। ଫଟୋ ଭାଇରାଲ ହେବା ପରେ ହିନ୍ଦୁ ସଂଗଠନ ଏ ନେଇ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଏହି ବ୍ୟାନର କନ୍ୟାକୁମାରୀ ଜିଲ୍ଲାର ଥିଙ୍ଗଲ ନଗର ନିକଟସ୍ଥ ଆରୋଗ୍ୟପୁରମ୍‌ରେ ଲଗାଯାଇଥିଲା। ଏଠାରେ ଦୁଇ ଦିନ ତଳେ ଏକ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାହାଘରରେ ବର ପ୍ରତୀଶକୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ସାଙ୍ଗମାନେ ଦୁଇଟି ସ୍ଥାନରେ ବିବାଦୀୟ ବ୍ୟାନର ଲଗାଇଥିଲେ।

ଗୋଟିଏ ବ୍ୟାନରରେ ନବବିବାହିତ ଯୋଡ଼ିଙ୍କୁ ତାଙ୍କ ସାଙ୍ଗମାନେ ଅଭିନନ୍ଦନ ଜଣାଇଥିବା ବେଳେ ଦ୍ୱିତୀୟଟିରେ ଭଗବାନ ଶିବଙ୍କୁ ସିଗାରେଟ୍‌ ଜଳାଉଥିବାର ଦେଖିବାକୁ ମିଳିଛି। ଏହି ବ୍ୟାନରରେ ସାଙ୍ଗମାନେ ପ୍ରତୀଶଙ୍କ ପାଇଁ କିଛି ଟିପ୍ସ ବି ଲେଖିଥିଲେ। ଏଥିରେ ଲେଖାଯାଇଥିଲା ଯେ ପୁଅମାନଙ୍କୁ ଛୋଟ ଚୁଟି ରଖିବା ଦରକାର। ଫଳରେ ସ୍ତ୍ରୀମାନେ ଟାଣିପାରିବେ ନାହିଁ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଦେବୀ କାଳୀ ସିଗାରେଟ୍‌ ଟାଣୁଥିବାର ଫଟୋ ବିବାଦରେ ରହିଥିଲା। ଏହି ପୋଷ୍ଟରକୁ ନିର୍ଦ୍ଦେଶକ ଲୀନା ମଣିମେକଲ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ। ତା’ପରେ ଲୀନା ପୁଣିଥରେ ନିଜ ସୋସିଆଲ ମିଡିଆରେ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ଫଟୋ ସେୟାର କରିଥିଲେ। ଫଟୋରେ ଭଗବାନ ଶିବ-ପାର୍ବତୀଙ୍କ ବେଶରେ ଦୁଇ କଳାକାର ନଜର ଆସିଥିଲେ। କେବଳ ଏତିକି ନୁହେଁ, ଫଟୋରେ ଉଭୟ କଳାକାର ଧୂମପାନ ମଧ୍ୟ କରୁଥିଲେ। ଏ ନେଇ ଥାନାରେ ଏତଲା ବି ହୋଇଥିଲା। ତେବେ ବାରମ୍ବାର ହିନ୍ଦୁ ଭଗବାନଙ୍କୁ ଏଭଳି ଅସମ୍ମାନିତ କରାଯାଉଥିବାରୁ ହିନ୍ଦୁ ସଂଗଠନ ଅସନ୍ତୋଷ ଜାହିର କରିଛନ୍ତି।

Also Read: ଟିକେଟ୍‌ ମାଗିଲି ବୋଲି… ଟିଟିଇଙ୍କୁ ଅତି ଅମାନୁଷିକ ଭାବେ ପିଟିଲେ ପୋଲିସ; ଭାଇରାଲ ହେଉଛି ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.