ବେଙ୍ଗାଲୁରୁ ପରେ ଗୁଜରାଟରେ ଚିହ୍ନଟ ହେଲା HMPV, ଅହମ୍ମଦାବାଦରେ ୨ ମାସର ଶିଶୁ ସଂକ୍ରମିତ

ବେଙ୍ଗାଲୁରୁ ପରେ ଗୁଜରାଟରେ ଚିହ୍ନଟ ହୋଇଛି ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (HMPV) । ଗୁଜରାଟରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି । ଅହମ୍ମଦାବାଦର ଚାନ୍ଦଖେଡା ଅଞ୍ଚଳରେ ୨ ମାସର ଏକ ଶିଶୁଠାରେ ଭୂତାଣୁ ଚିହ୍ନଟ କରାଯାଇଛି । ଏଠାରେ ଏକ ଘରୋଇ ହସ୍ପିଟାଲରେ ସଂକ୍ରମିତ ଶିଶୁର ଚିକିତ୍ସା ଚାଲିଛି । ଏହି ପରିବାର ରାଜସ୍ଥାନର ଡୁଙ୍ଗରପୁରରୁ ଶିଶୁର ଚିକିତ୍ସା କରାଇବା ପାଇଁ ଅହମ୍ମଦାବାଦ ଆସିଥିଲେ । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।

ସେପଟେ ଆଜି ବେଙ୍ଗାଲୁରୁରେ ପ୍ରଥମ ରୋଗୀ ଚିହ୍ନଟ ହୋଇଛି । ଏଠାରେ ଏକ ହସ୍ପିଟାଲରେ ୮ ମାସର ଶିଶୁପୁତ୍ର HMPVରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହିପରି ୩ ମାସର ଏକ ଶିଶୁକନ୍ୟାଠାରେ ମଧ୍ୟ ଭାଇରସ୍ ଚିହ୍ନଟ କରାଯାଇଛି । ଦୁଇ ଶିଶୁଙ୍କୁ ନିଶ୍ଵାସ ନେବାରେ ସମସ୍ୟା ହେବାରୁ HMPV ଭାଇରସ୍ ବିଷୟରେ ଜଣାପଡ଼ିଥିଲା । ଅଧିକାରୀମାନେ କହିଛନ୍ତି ଯେ ଏହି ଦୁଇ ରୋଗୀ କିମ୍ବା ସେମାନଙ୍କ ପରିବାରର କୌଣସି ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ନାହିଁ ।

ବେଙ୍ଗାଲୁରୁରେ ଚିହ୍ନଟ ହୋଇଥିବା ଉଭୟ ମାମଲାରେ ନିମୋନିଆର ଏକ ରୂପ ବ୍ରୋଙ୍କୋପମୋନିଆର ମେଡିକାଲ୍ ହିଷ୍ଟ୍ରି ରହିଛି । ୩ ମାସର ଶିଶୁକୁ ଡିସଚାର୍ଜ କରାଯାଇଥିବା ବେଳେ ୮ ମାସର ଶିଶୁ ଧୀରେ ଧୀରେ ସୁସ୍ଥ ହେଉଛି । ଏହାରି ଭିତରେ ଭାରତ ସରକାର ଭୟଭୀତ ନ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏବଂ କହିଛନ୍ତି ଯେ HMPV ଏକ ନୂଆ ଭାଇରସ୍ ନୁହେଁ । ଏହି ଭୂତାଣୁ ଶୀତ ଋତୁରେ ଲୋକଙ୍କୁ ଅଧିକ ପ୍ରଭାବିତ କରିଥାଏ ।

ଚୀନରେ ଏହି ରୋଗ କୋଭିଡ୍-୧୯ ଭଳି ବିସ୍ତାର ହେବାରେ ଲାଗିଛି । ମୁଖ୍ୟତଃ ୨ ବର୍ଷରୁ କମ୍ ବୟସର ଶିଶୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ସଂକ୍ରମିତ ରୋଗୀ କାଶିଲେ କିମ୍ବା ଛିଙ୍କିଲେ HMPV ଅନ୍ୟ ଜଣଙ୍କୁ ବ୍ୟାପିପାରେ । ଜୀବାଣୁ ସଂକ୍ରମିତ ପୃଷ୍ଠକୁ ସ୍ପର୍ଶ କଲେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । HMPV ଭାଇରସ୍ ପ୍ରଥମ ଥର ୨୦୦୧ରେ ଚିହ୍ନଟ ହୋଇଥିଲା । ଜଣେ ଡଚ୍ ବିଶେଷଜ୍ଞ ଶ୍ଵାସରୋଗରେ ପୀଡ଼ିତ ଶିଶୁର ନମୁନାରେ ଏହି ଭାଇରସକୁ ଚିହ୍ନଟ କରିଥିଲେ ।