ଲଦାଖ ପରେ ଏବେ ତଓ୍ଵାଙ୍ଗ! LACରେ ବଢ଼ୁଛି ଭାରତ ଓ ଚୀନ ମଧ୍ୟରେ ବିବାଦ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଡ୍ରାଗନ ସେନା?

ଗତ ୧ ବର୍ଷରୁ ଅଧିକ ସମୟ ହେବ ଭାରତ ଏବଂ ଚୀନ ମଧ୍ୟରେ ଏଲ୍‌ଏସି (LAC)ରେ ଚାଲିଥିବା ବିବାଦ କୌଣସି ମତେ ଥମିବାର ନାଁ ନେଉ ନାହିଁ। ଦୁଇ ଦେଶ ଭିତରେ ସୈନ୍ୟବାହିନୀ କମାଣ୍ଡର ସ୍ତରୀୟ ୧୩ ରାଉଣ୍ଡ ବୈଠକ ହୋଇ ସାରିଲାଣି, କିନ୍ତୁ ଏ ପର୍ଯ୍ୟନ୍ତ ସମାଧାନ ରାସ୍ତା ବାହାରି ପାରି ନାହିଁ। ଏହାରି ଭିତରେ ଲଦାଖ ପରେ ପୂର୍ବ-ଉତ୍ତରର ତଓ୍ଵାଙ୍ଗ୍‌ରେ ମଧ୍ୟ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ତଓ୍ଵାଙ୍ଗରେ ସୈନ୍ୟବାହିନୀ ବୃଦ୍ଧି କରି ଚୀନ କୌଣସି ମନ୍ଦ କାର୍ଯ୍ୟ କରିବା ପାଇଁ ଚେଷ୍ଟା ଚଳାଇଛି।

ଖବର ମୁତାବକ, ଚୀନର ପିପୁଲ୍ସ ଲିବରେଶନ ଆର୍ମି ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗରେ ଏଲ୍‌ଏସି ନିକଟରେ ବଡ଼ ସଂଖ୍ୟାରେ ନିଜର ସେନାକୁ ମଜଭୁତ କରିଛି। ଏଥି ସହିତ କେତେକ ଅସ୍ଥାୟୀ ସୈନ୍ୟ ଶିବିର ମଧ୍ୟ ପକାଇଛି। ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ଚୀନ ସେନା ଅରୁଣାଚଳରେ ଏଲ୍‌ଏସି ପାଖରେ ନିଜର ସ୍ଥିତି ସୁଦୃଢ଼ କରିଛି। ଅନେକ ଅସ୍ଥାୟୀ ଶିବିର ପଡ଼ି ଥିବାରୁ ଏହା ଭାରତୀୟ ସେନା ପାଇଁ ଚିନ୍ତାର କାରଣ ପାଲଟିଛି। ଅଧିକାରୀ କହିଛନ୍ତି ଯେ ସୀମା ନିକଟକୁ ଅନେକ ପ୍ରକାର ମିଲିଟାରୀ ସାମଗ୍ରୀ ଆଣି ଚୀନ ସେନା ନିଜ ଟ୍ରେନିଂକୁ ଜୋର୍‌ଦାର କରିଛି।

ଏହାଛଡ଼ା ସେ ଆଉ ମଧ୍ୟ କହିଛନ୍ତି କି, ଭାରତୀୟ ସେନା ଏହି ଘଟଣାକ୍ରମ ଉପରେ ନଜର ରଖିଛି। ଚୀନ ସେନା ପାଟ୍ରୋଲିଂ ଏବଂ ନିଜର ସ୍ଥିତିକୁ ମଜଭୁତ କରୁଥିବାର ଦେଖି ଏହା ଅନୁମାନ ଲଗାଯାଉଛି କି, ସେମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଯେମିତି ହିଁ ସେମାନେ ଗତବର୍ଷ ମେ’ ମାସରେ ଲଦାଖରେ କରିଥିଲେ। ସୂଚନାଥାଉ କି, ଗତବର୍ଷ ମେ’ ୫ରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ ଘାଟିରେ ସୀମା ବିବାଦକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ। ଦୁଇ ଦେଶ ମଧ୍ୟରେ ଉପୁଜିଥିବା ଏହି ବିବାଦ ସେତେବେଳେ ହିଂସା ରୂପ ଧାରଣ କରିଥିଲା, ଯେବେ ଗଲଓ୍ଵାନରେ ହୋଇଥିବା ସଂଘର୍ଷରେ ପାଖାପାଖି ୨୦ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଥିଲା।

କହି ରଖୁଛୁ, ଭାରତ, ଚୀନ ସହିତ ୩,୪୮୮ କିଲୋମିଟର ଲମ୍ବା ସୀମା ସେୟାର କରିଛି। ଏହି ସୀମା ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ଦେଇ ଯାଇଛି। ପାଖାପାଖି ୧୩୪୬ କିଲୋମିଟର ଲମ୍ବା ସୀମା ଏକାକୀ ପୂର୍ବାଞ୍ଚଳରେ ପଡ଼ିଛି, ଯେଉଁଥିରେ ତଓ୍ଵାଙ୍ଗରେ ମୋଟ ୨୭୦ କିଲୋମିଟର ସୀମା ରହିଛି। ତେବେ ଏହି ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ସମ୍ପୂର୍ଣ୍ଣ ଚୁକ୍ତିନାମା ହୋଇ ନାହିଁ କି କୌଣସି ଉଚିତ ସୀମାଙ୍କନ କରାଯାଇ ନାହିଁ, ଯେଉଁ କାରଣରୁ ଚୀନ, ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ବାରମ୍ବାର ଚେଷ୍ଟା କରୁଛି। ଏତିକି ନୁହେଁ, ଚୀନ ପୂର୍ବ ଅଞ୍ଚଳରେ ଅରୁଣାଚଳ ପ୍ରଦେଶ ଉପରେ ମଧ୍ୟ ନିଜର ଦାବି କରୁଛି ଏବଂ କହୁଛି କି, ଏହା ଦକ୍ଷିଣ ତିବ୍ଦତର ଅଂଶ। ଚୀନ, ତିବ୍ଦତ ଓ ଅରୁଣାଚଳ ପ୍ରଦେଶ ମଝିରେ McMahon ରେଖାକୁ ମଧ୍ୟ ମାନି ନ ଥାଏ।

Leave A Reply

Your email address will not be published.