ଆପ୍‌ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନୂଆ ଭିଡିଓ ଭାଇରଲ, ଜେଲରେ ରହି ଖାଉଛନ୍ତି ବିଭିନ୍ନ ପ୍ରକାରର ହୋଟେଲ ଖାଦ୍ୟ

ମନି ଲଣ୍ଡ୍ରରିଂ ମାମଲାରେ ଜେଲରେ ବନ୍ଦ ଥିବା ଆପ୍‌ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସତ୍ୟେନ୍ଦ୍ର ଜୈନ ଜେଲରେ ହୋଟେଲ ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି। ଆଉ ଏଥିପାଇଁ ଆପ୍‌କୁ ଟାର୍ଗେଟ କରିଛି ବିଜେପି ।

ସାମ୍ନାକୁ ଆସିଥିବା ଭିଡିଓରେ ସତ୍ୟେନ୍ଦ୍ର ଜୈନ୍ ବାହାରୁ ମଗାଯାଇଥିବା ବିଭିନ୍ନ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ତାଙ୍କ ବେଡରେ ତିନିଟି ଅଲଗା ଅଲଗା ଡବା ଦେଖିବାକୁ ମିଳିଛି। ଯେଉଁଥିରେ ବିଭିନ୍ନ ପ୍ରକାରର ଖାଦ୍ୟ ରହିଛି। ଏହାସହିତ ବିଭିନ୍ନ ଫଳ ଓ ଡ୍ରାଏ ଫୁଟସ୍ ବି ଖାଉଛନ୍ତି । ଏସବୁକୁ ଜେଲ୍ ଭିତରେ ବେଶ୍ ଆରମରେ ତାଙ୍କ ପାଖରେ ପହଞ୍ଚା ଯାଉଛି। ତିହାର ଜେଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ସତ୍ୟେନ୍ଦ୍ର ଜୈନଙ୍କ ଓଜନ ୮ କିଲୋ ଓଜନ ବଢିଯାଇଛି। କିନ୍ତୁ ପୂର୍ବରୁ ମାଲିସ୍ ଭିଡିଓ ଭାଇରଲ୍ ହେବା ପରେ ଜେଲରେ ସତ୍ୟେନ୍ଦ୍ରଙ୍କ ଓଜନ ୨୮ କିଲୋ କମି ଯାଇଛି ବୋଲି ତାଙ୍କ ଓକିଲ କହିଥିଲେ । ସେହିପରି ଦିଲ୍ଲୀ ନଗର ନିଗମ ନିର୍ବାଚନ ପୂର୍ବରୁ ଆପ୍‌ ମନ୍ତ୍ରୀଙ୍କ ଏପରି ଭାଇରଲ ଭିଡିଓ ଆପ୍‌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ବିଜେପି ଏହି ଭିଡିଓକୁ ନେଇ ପୁଣି ଆପକୁ ଟାର୍ଗେଟ କରିଛି।

ତିହାର ଜେଲରୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେହି ଭିଡିଓରେ ସତ୍ୟେନ୍ଦ୍ର ଜୈନ ଖଟ ଉପରେ ଶୋଇଥିବା ନଜର ଆସିଛନ୍ତି। ଆଉ ହାତରେ କିଛି କାଗଜପତ୍ର ଧରିଥିବା ନଜର ଆସିଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଗୋଡକୁ ତେଲ ଲଗାଇ ମସାଜ କରିଦେଉଛନ୍ତି। ସତ୍ୟେନ୍ଦ୍ର ଜୈନ୍ ଉକ୍ତ ବ୍ୟକ୍ତିଙ୍କ ଉପରେ ଗୋଡ ରଖି ମସାଜର ମଜା ନେଉଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲରେ ଅନ୍ୟ କଏଦୀ ପିଉଥିବା ପାଣି ପିଉନାହାନ୍ତି। ସେ ମିନେରାଲ ଓ୍ଵାଟର ପିଉଥିବା ନଜର ଆସିଛନ୍ତି।

ତେବେ ପୂର୍ବରୁ ଭାଇରଲ ହେଉଥିବା ଭିଡିଓକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ, ସତ୍ୟେନ୍ଦ୍ର ଜୈନ ରୋଗରେ ପୀଡିତ ଥିଲେ। ତେଣୁ ଡାକ୍ତର ତାଙ୍କୁ ଫିଜିଓଥେରାପୀ ଦେବା ପାଇଁ କହିଥିଲେ। ଯେଉଁଥିପାଇଁ ତାଙ୍କୁ ମସାଜ ଦିଆଯାଉଥିଲା। ଏହି ଭିଡିଓରେ ମସାଜ କରୁଥିବା ବ୍ୟକ୍ତି ଜଣକ କୌଣସି ଫିଜିଓଥେରାପିଷ୍ଟ ନୁହନ୍ତି, ବରଂ ଜେଲରେ ସଜା କାଟୁଥିବା ଜଣେ କଏଦୀ ବୋଲି ଜଣାପଡିଥିଲା । ଜଣେ ନାବାଳିକା ସହିତ ଦୁଷ୍କର୍ମ ମାମଲାରେ ବ୍ୟକ୍ତି ଜଣକ ସଜା କାଟୁଛନ୍ତି।