ପାଲେଷ୍ଟାଇନ୍ ପରେ ଆଜି ବାଂଲାଦେଶ ହିନ୍ଦୁଙ୍କ ସମର୍ଥନରେ ବ୍ୟାଗ୍ ଧରି ସଂସଦରେ ପହଞ୍ଚିଥିଲେ ପ୍ରିୟଙ୍କା ଗାନ୍ଧି

ୱାୟନାଡରୁ ସାଂସଦ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଙ୍ଗଳବାର ପୁଣି ଏକ ନୂଆ ବ୍ୟାଗ୍ ଧରି ସଂସଦରେ ପହଞ୍ଚିଥିଲେ । ଏହି ବ୍ୟାଗ ଉପରେ ଲେଖା ହୋଇଥିଲା, ‘ବାଂଲାଦେଶର ହିନ୍ଦୁ ଓ ଇସାଇଙ୍କ ସହ ଛିଡ଼ା ହୁଅ’ । ଦିନକ ପୂର୍ବରୁ ପ୍ରିୟଙ୍କା ପାଲେଷ୍ଟାଇନ୍ ସମର୍ଥନରେ ଏକ ବ୍ୟାଗ୍ ଧରି ସଂସଦରେ ପହଞ୍ଚିଥିଲେ । ଏହାକୁ ବିରୋଧ କରି ବିଜେପି କହିଥିଲା ଯେ ପ୍ରିୟଙ୍କା ଏବଂ କଂଗ୍ରେସକୁ ବାଂଲାଦେଶର ହିନ୍ଦୁମାନଙ୍କ ଯନ୍ତ୍ରଣା ଦେଖାଯାଉ ନାହିଁ ।

ଆଜି କଂଗ୍ରେସ ସାଂସଦ ‘ବାଂଲାଦେଶୀ’ ବ୍ୟାଗ୍ ଧରି ସଂସଦରେ ପହଞ୍ଚିଥିଲେ । ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟତୀତ ଦଳର ଅନ୍ୟ ସାଂସଦମାନେ ମଧ୍ୟ ସମାନ ବ୍ୟାଗ ଧରି ଯାଇଥିଲେ । ଏହି ସମୟରେ ସାଂସଦମାନେ ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଅତ୍ୟାଚାର ବିରୋଧରେ ସଂସଦ ପରିସରରେ ପ୍ରଦର୍ଶନ କରିଥିଲେ ଏବଂ ସରକାରଙ୍କ ନିକଟରେ ନ୍ୟାୟ ଦାବି କରିଥିଲେ ।

ସମସ୍ତଙ୍କ ହାତରେ ଏହି ସମାନ ବ୍ୟାଗ୍ ଥିଲା, ଯେଉଁଥିରେ ଲେଖା ହୋଇଥିଲା, ‘ବାଂଲାଦେଶର ହିନ୍ଦୁ ଓ ଇସାଇଙ୍କ ସହ ଛିଡ଼ା ହୁଅ’ ।

ଏହି ସମୟରେ ପ୍ରିୟଙ୍କା ଗାନ୍ଧି ଏବଂ ଅନ୍ୟ ସାଂସଦମାନେ ସଂସଦ ଭବନର ‘ମକର ଦ୍ୱାର’ ନିକଟରେ ଏକାଠି ହୋଇଥିଲେ । ସେମାନେ ‘କେନ୍ଦ୍ର ସରକାର ଜବାବ ଦିଅନ୍ତୁ’ ଏବଂ ‘ୱି ୱାଣ୍ଟ୍ ଜଷ୍ଟିସ୍’ ଭଳି ସ୍ଲୋଗାନ ଦେଇଥିଲେ । ତେବେ କାନ୍ଧରେ ‘ବାଂଲାଦେଶୀ’ ବ୍ୟାଗ୍ ପକାଇ ପ୍ରିୟଙ୍କା ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଥିବା ଦେଖିବାକୁ ମିଳିଥିଲା ।

କଂଗ୍ରେସ ସୋମବାର ମଧ୍ୟ ଏହି ପ୍ରସଙ୍ଗରେ ସଂସଦ ପରିସରରେ ପ୍ରଦର୍ଶନ କରିଥିଲା । ପ୍ରିୟଙ୍କା ଲୋକସଭାରେ ଶୂନ୍ୟକାଳ ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ । ସେ ସୋମବାର ପାଲେଷ୍ଟାଇନ୍ ଲୋକଙ୍କ ସମର୍ଥନରେ ‘ପାଲେଷ୍ଟାଇନ୍’ ଲେଖା ହୋଇଥିବା ଏକ ହ୍ୟାଣ୍ଡବ୍ୟାଗ୍ ଧରି ପହଞ୍ଚିଥିଲେ ।

କହି ରଖୁଛୁ, ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୌତମ ଆଦାନୀଙ୍କ ନାମରେ ସ୍ଲୋଗାନ୍ ଲେଖା ହୋଇଥିବା ଏକ ବ୍ୟାଗ୍ ଧରି ସଂସଦକୁ ଆସିଥିଲେ । ସେତେବେଳେ ଏହାକୁ ନେଇ ବିବାଦ ଦେଖାଦେଇଥିଲା ।