ଦେଓଘରରେ ଭୁଶୁଡିଲା ୩ ମହଲା ବିଲିଡିଂ: ୨ ମୃତ, ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି

ଗୁଜରାଟ ସୁରଟ ପରେ ଏବେ ଝାଡଖଣ୍ଡର ଦେଓଘରରେ ୩ ମହଲା ବିଲିଡିଂ ଭୁଶୁଡି ପଡିଛି । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଖବର ମିଳିଛି । ଘଟଣା ପରେ ଏନଡିଆରଏଫ ଟିମ୍‌ ପହଞ୍ଚି ଭଗ୍ନାବଶେଷ ତଳୁ ୩ ଜଣଙ୍କୁ ଉଦ୍ଧାର କରିଛି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଭଗ୍ନାବଶେଷ ତଳେ କିଛି ଲୋକ ଫସିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଘଟଣା ବିଷୟରେ ସୂଚନା ପାଇବା ପରେ ଗୋଡ୍ଡାର ସାଂସଦ ନିଶିକାନ୍ତ ଦୁବେ, ଦେଓଘର ଉପଜିଲ୍ଲାପାଳ, ଏସପି ସମେତ ଅନେକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଏବଂ ଅଭିଯାନ ତଦାରଖ କରୁଛନ୍ତି । ସହରର ସୀତା ହୋଟେଲ ନିକଟରେ ଥିବା ୩ ମହଲା ବିଲିଡିଂ ଭୁଶୁଡିଛି ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିଲିଡିଂ ହଠାତ୍‌ ଭୁଶୁଡି ପଡିଥିଲା । ଏହାପରେ ଚାରିଆଡେ ଧୂଳି ଧୂଆଁରେ ପୂର୍ଣ୍ଣ ହୋଇଯାଇଥିଲା । ଘଟଣା ପରେ ଲୋକ ଭୟରେ ଦୌଡି ପଳାଇଥିଲେ । ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିବା ପରେ ଏନଡିଆରଏଫ ଟିମକୁ ସୂଚନା ଦେଇଥିଲା । ସେମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଦେଓଘରରେ ପ୍ରବଳ ବର୍ଷା ଯୋଗୁଁ ପୁରୁଣା ଘର ଭାଙ୍ଗିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଗୁଜରାଟ ସୁରଟରେ ଏକ ୬ ମହଲା ବିଲିଡିଂ ଭୁଶୁଡି ପଡିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଘଟଣା ସ୍ଥଳରୁ ଉଦ୍ଧାରକାରୀ ଟିମ୍‌ ଭଗ୍ନାବଶେଷ ତଳୁ ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି । ସେହିପରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

You might also like