ତାମିଲନାଡ଼ୁ ପରେ ଏବେ କେରଳରେ ବିପର୍ଯ୍ୟୟ ବର୍ଷା, ପାଣିପାଗ ବିଭାଗ ଜାରି କଲା ଅରେଞ୍ଜ ଆଲର୍ଟ; ଆଜି ଖୋଲିବ ତେରୁଥନୀ ନଦୀବନ୍ଧ ଗେଟ୍

ତାମିଲନାଡ଼ୁରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଲାଗି ରହିବା ପରେ ଏବେ କେରଳ ପାଇଁ ସତର୍କ ଘଣ୍ଟି ବାଜିଛି। ଭାରତର ପାଣିପାଗ ବିଜ୍ଞାନ ବିଭାଗ (IMD) କେରଳରେ ଅରେଞ୍ଜ ଆଲର୍ଟ ଜାରି କରିଛି, ଯେଉଁଥିରେ ଆଜି ରାଜ୍ୟର ୬ ଜିଲାରେ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି କରାଯାଇଛି। ଏଥି ସହିତ ଆସନ୍ତାକାଲି ରବିବାର ଅନ୍ୟ ୫ ଜିଲା ପାଇଁ ମଧ୍ୟ ସମାନ ସତର୍କ ସୂଚନା ଜାରି କରାଯାଇଛି। ଗତ ୪ ଦିନ ଭିତରେ ଉପକୂଳବର୍ତ୍ତୀ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଓ କର୍ନାଟକର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଏହି ପ୍ରଭାବ ସାମୁଦ୍ରିକ ଘୂର୍ଣ୍ଣିଝଡ଼ କାରଣରୁ ହୋଇଥିଲା, ଯାହାକି ବଙ୍ଗୋପସାଗରେ ଗଭୀର ଅବପାତର ରୂପ ନେଇଥିଲା।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କେରଳର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅତି ପ୍ରବଳ ବର୍ଷା ହେବାର ଚେତାବନୀ ଜାରି କରାଯାଇଛି। ଆଗାମୀ ୩ ଦିନ ଅର୍ଥାତ୍ ୧୬ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଭାଗରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଇଡୁକ୍କୀ ଜିଲାର ଜିଲାପାଳ ଶିବା ଜର୍ଜ କହିଛନ୍ତି ଯେ ଜିଲାରେ ପ୍ରବଳ ବର୍ଷା ଜାରି ରହି ଥିବାରୁ ତେରୁଥନୀ ନଦୀବନ୍ଧର ଫାଟକ ଶନିବାର କିମ୍ବା ରବିବାର ଖୋଲା ଯାଇପାରେ। ଥିରୁବନନ୍ତପୁରମ୍, କୋଲ୍ଲମ୍, ପଠାନମଥିଟ୍ଟା, ଅଲାପ୍ପୁଝା, କୋଟ୍ଟାୟମ୍ ଓ ଇଡୁକ୍କୀରେ ଶନିବାର ଅର୍ଥାତ୍ ଆଜି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଯେତେବେଳେ କି, ପଠାନମଥିଟ୍ଟା, ଅଲାପ୍ପୁଝା, କୋଟ୍ଟାୟମ୍, ଏର୍ନାକୁଲମ୍ ଓ ଇଡୁକ୍କୀରେ ୧୪ ନଭେମ୍ବରରେ ପ୍ରବଳ ବର୍ଷାର ଚେତବନୀ ଜାରି କରାଯାଇଛି।
ସେହିପରି IMD ବୁଲେଟିନ ମୁତାବକ, ଆଗାମୀ ୫ ଦିନ ତାମିଲନାଡ଼ୁ, କରାଇକଲ୍, ପୁଡୁଚେରୀ ଓ ଦକ୍ଷିଣ ଆଭ୍ୟନ୍ତରୀଣ କର୍ନାଟକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଏବଂ ଆଗାମୀ ୪୮ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶା, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ ଓ ରାୟଲସୀମାରେ ବର୍ଷାର ଚେତାବନୀ ଜାରି କରାଯାଇଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ମୁତାବକ, ୧୫ ନଭେମ୍ବର ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଚେତାବନୀ ଜାରି କରାଯାଇଛି।