ଇମ୍ରାନ ଖାନଙ୍କୁ ଗୁଳିମାଡ଼ ପରେ ଏବେ ପାକିସ୍ତାନରେ ଗୃହଯୁଦ୍ଧ ଭଳି ସ୍ଥିତି, ଅଭିଯୁକ୍ତ କହିଲା କାହିଁକି ଗୁଳି କଲା

ପାକିସ୍ତାନ: ଇମ୍ରାନଙ୍କ ଉପରେ ଆକ୍ରମଣ ପାକିସ୍ତାନ ରାଜନୀତିକୁ ଦୋହଲାଇ ଦେଇଛି । ଅନ୍ୟପଟେ ଇମ୍ରାନ ଖାନଙ୍କୁ ଗୁଳି ମାରିଥିବା କଥାକୁ ସ୍ୱୀକାର କରିଛି ଗିରଫ ଅଭିଯୁକ୍ତ । ଆକ୍ରମଣକାରୀ ନାଁ ମହମ୍ମଦ ନାଭେଦ । ଅପରାଧ ସ୍ୱୀକାର କରିବା ସହ କେବଳ ଇମ୍ରାନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ବୋଲି କହିଛି । ସେ କହିଛି, ଇମ୍ରାନ୍‌ ମିଛ କହି ଲୋକଙ୍କୁ ଲଗାତାର ବିଭ୍ରାନ୍ତ କରି ଚାଲୁଥିଲେ । ଏଥିରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଲା ବୋଲି ପାକିସ୍ତାନ ପୋଲିସକୁ ନିଜ ବୟାନରେ କହିଛନ୍ତି ଅଭିଯୁକ୍ତ ମହମ୍ମଦ ନାଭେଦ । ସେ ଆହୁରି କହିଛି, ତା ପଛରେ କେହି ନାହାନ୍ତି । ଏକା ଆସିଥିଲା । ଇମ୍ରାନ୍‌ ଖାନ ଲାହୋର ଛାଡିବା ଦିନଠାରୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ବୋଲି ଆକ୍ରମଣକାରୀ କହିଛି ।

ତେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ଼ ପରେ ଏବେ ଜଳୁଛି ପାକିସ୍ତାନ । ଦେଶରେ ଗୃହଯୁଦ୍ଧ ଭଳି ସ୍ଥିତି । ଚାରିଆଡ଼େ ଜଳୁଛି ବିକ୍ଷୋଭ ନିଆଁ । ବିଭିନ୍ନ ସହରରେ ପିଟିଆଇ ସମର୍ଥକ ଜୋରଦାର ବିକ୍ଷୋଭ କରିଛନ୍ତି । ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକ । ରାସ୍ତାରୋକ କରିବା ସହ ଉତ୍ୟକ୍ତ ଲୋକ ବିଭିନ୍ନ ସ୍ଥାନରେ ନିଆଁ ଜାଳି ବିରୋଧ ପ୍ରଦର୍ଶନ କରିଛନ୍ତି । ଇସଲାମାବାଦ, କରାଚି, ଲାହୋର, ଫୈଜଲାବାଦ, ରାଓ୍ଵଲପିଣ୍ଡି, ମୁଲତାନ ଓ ପେସାଓ୍ଵାର ଆଦି ସହରରେ ଇମ୍ରାନ ସମର୍ଥକ ଜୋରଦାର ବିକ୍ଷୋଭ କରିଛନ୍ତି । ବିଳମ୍ବିତ ରାତି ଯାଏ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ସେପଟେ ଆଜି ପୁଣି ଥରେ ଲଙ୍ଗ ମାର୍ଚ୍ଚକୁ ଫେରିବେ ଇମ୍ରାନ୍‌ ଖାନ । ଦିନ ୧୧ଟାରୁ ଇସଲାମାବାଦ ଅଭିମୁଖେ ପାକିସ୍ତାନ ତେହରିକ୍‌-ଇନସାଫ୍‌ର ରାଲି ବାହାରିବ । ଏନେଇ ଇନସାଫ୍‌ ଷ୍ଟୁଡେଣ୍ଟ ଫେଡେରେସନ୍‌ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି । ଗୁରୁତର ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ଗତକାଲି ପାକିସ୍ତାନ ପଞ୍ଜାବ ପ୍ରଦେଶର ୱାଜିରାବାଦରେ ରାଲିରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ ଇମ୍ରାନ ଖାନ୍‌ । କ୍ଷମତାସୀନ ସରକାର ବିରୋଧରେ ଲଙ୍ଗ ମାର୍ଚ୍ଚ ଚାଲିଥିବା ବେଳେ ଇମ୍ରାନଙ୍କ କଣ୍ଟେନର ଉପରକୁ ଗୁଳିମାଡ଼ ହୋଇଥିଲା । ଇମ୍ରାନଙ୍କ ଗୋଡ଼ରେ ୪ଟି ଗୁଳି ଲାଗିଥିଲା । ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ୨୦୦୭ରେ ସମାନ ଢଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ରାଲି ଉପରେ ହୋଇଥିଲା ଆତ୍ମଘାତୀ ବିସ୍ଫୋରଣ । ଏଥିରେ ବେନଜୀର ନିହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.