ମହାକୁମ୍ଭ ମେଳାରେ ଦଳାଚକଟା ପରେ ବଡ଼ ପଦକ୍ଷେପ, ଆସିଲା ୫ ନୂଆ ଗାଇଡଲାଇନ୍

ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ପରେ ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ । ରଦ୍ଦ ହେଲା ଭିଭିଆଇପି ପାସ । ଏଣିକି ସମସ୍ତଙ୍କ ପାଇଁ ସମାନ ନିୟମ । କୌଣସି ପ୍ରକାର ବିଶେଷ ପାସ ଆଉ କୁମ୍ଭମେଳାରେ କାମ କରିବ ନାହିଁ । ସେହିପରି ମେଳା ପରିସରକୁ ନୋ-ଭେହିକିଲ ଜୋନ ଘୋଷଣା କରାଯାଇଛି । କୌଣସି ପ୍ରକାର ଗାଡି ମେଳା କ୍ଷେତ୍ର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ପ୍ରୟାଗରାଜରେ ୱାନ ୱେ ମାର୍ଗ ବ୍ୟବସ୍ଥା ଲାଗୁ କରାଯାଇଛି । ଯାହା ଦ୍ବାରା ଶ୍ରଦ୍ଧାଳୁଙ୍କ ଯାତାୟତ ସମସ୍ୟା ରହିବ ନାହିଁ । ସେହିପରି ପ୍ରୟାଗରାଜର ଆଖପାଖ ଜିଲ୍ଲାକୁ ଆସୁଥିବା ଗାଡି ଗୁଡିକୁ ସେହି ଜିଲ୍ଲାର ସୀମାରେ ହି ଅଟକା ଯିବ । ଅନ୍ୟପଟେ ୪ ଫେବ୍ରୁଆରୀ ପର୍ଯ୍ୟନ୍ତ ସହରରେ ୪ ଚକିଆ ଯାନର ଏଣ୍ଟ୍ରି ସମ୍ପୂର୍ଣ୍ଣ ନିଷେଧ । ଭବିଷ୍ୟତରେ ଦଳାଚକଟା ପରିସ୍ଥିତିକୁ ଏଡାଇବା ସହ ମେଳାରେ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।
ସୂଚନା ଅନୁସାରେ ଗତକାଲି ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନଙ୍କ ମଧ୍ୟରୁ ୨୫ ଜଣଙ୍କ ପରିଚୟ ଜଣାପଡ଼ିଛି । ଦୁର୍ଘଟଣାର ୧୬ ଘଣ୍ଟା ପରେ ମେଳା ପ୍ରଶାସନ ତଥ୍ୟ ପ୍ରକାଶ କରିଛି । ଗତ ବିଳମ୍ବିତ ରାତିରେ ପ୍ରୟାଗରାଜର ସଙ୍ଗମ ନୋଜରେ ଦଳାଚକଟା ହୋଇଥିଲା । ଏଥିରେ ୧୫ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲା । ଆହତମାନଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ମୌନି ଅମାବାସ୍ୟା ଅମୃତ ସ୍ନାନ ପୂର୍ବରୁ ମହାକୁମ୍ଭରେ ଦଳାଚକଟା ହୋଇଛି । ସଙ୍ଗମ ସ୍ଥଳରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ମୌନୀ ଅମାବାସ୍ୟା ଥିବାରୁ ଅମୃତ ସ୍ନାନ ରହିଥିଲା । ଏଥିପାଇଁ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଭିଡ଼ ବିଳମ୍ବିତ ରାତିରୁ ବଢ଼ିଥିଲା । ଆଉ ବିଳମ୍ବିତ ରାତି ପ୍ରାୟ ୧ଟାରେ ଦଳାଚକଟା ପରେ ଅମୃତ ସ୍ନାନକୁ ବାତିଲ୍ କରି ଦିଆଯାଇଛି । ୫୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦଳଚକଟା ପରେ ଅମୃତସ୍ନାନ ରଦ୍ଦ କରିଛି ଆଖଡ଼ା ସଂଘ । ଦୁର୍ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୁରନ୍ତ ଆବଶ୍ୟକୀୟ ସହାୟତା ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ।
ଆହୁରି ପଢ଼ନ୍ତୁ : ମହାକୁମ୍ଭ ଦଳାଚକଟାରେ ଦୁଃଖ ପ୍ରକାଶ କଲେ ମୋଦି, ମୁଖ୍ୟମନ୍ତ୍ରୀଙ୍କ ସହିତ ଲଗାତାର ଯୋଗାଯୋଗରେ ରହିଛି