ଏହି ମହିଳା ଫୁଟବଲ ପ୍ରେମୀଙ୍କ ପଦକ୍ଷେପରେ ଦୋହଲିଲା ଇରାନ, ବଦଳିଲା କଠୋର ଇସଲାମୀୟ ଆଇନ

କୌଣସି ଖେଳ କେବେ ମଧ୍ୟ ସ୍ତ୍ରୀ ଓ ପୁରୁଷ ଭିତରେ ଭେଦ ଭାବ କରେ ନାହିଁ । କିନ୍ତୁ ଦୃଢ କାନୁନ ଥିବା ଇରାନରେ ଖେଳକୁ ନେଇ ଏପରି ଏକ କଠୋର ଆଇନ ଥିଲା ଯାହା ପୃଥିବୀକୁ ଏକ ପ୍ରକାର ଦୋହଲାଇ ଦେଇଥିଲା  ।  ଏହି ଘଟଣାଟି ଘଟିବା ପରେ ଇରାନରେ ମହିଳାଙ୍କୁ ନେଇ ଥିବା କଠୋର ଆଇନରେ ଏକ ବିରାଟ ପରିବର୍ତ୍ତନ ଘଟିଛି । ଯାହାର ପ୍ରଥମ ଝଲକ ଆସନ୍ତା ଅକ୍ଟୋବର ୧୦ ତାରିଖରେ ଦେଖିବାକୁ ମିଳିବ ।ପ୍ରକୃତରେ ଘଟଣାଟି ଘଟିଥିଲା ଏହିପରି । ଇରାନ ଦେଶର ଏହି ସୁନ୍ଦରୀ ଫୁଟବଲ ପ୍ରେମୀଙ୍କ ନାମ ହେଉଛି ସହର ଖୋଡ଼ୟାରୀ । ପ୍ରକୃତରେ ୨୯ ବର୍ଷୀୟ ଏହି ଖେଳାଳି ଜଣକ ତେହେରାନର ଆଜାଦି ଷ୍ଟାଡିୟମରେ ନିଜ ପସନ୍ଦର ଟିମର ମ୍ୟାଚ ଦେଖିବାକୁ ଚାହୁଁଥିଲେ ।

କିନ୍ତୁ ଇରାନର କଠୋର ନିୟମ ଅନୁଯାୟୀ କୌଣସି ମଧ୍ୟ ମହିଳା ଷ୍ଟାଡ଼ିୟମରେ ବସି ମ୍ୟାଚ ଦେଖିପାରିବେ ନାହିଁ । ଖାଲି ସେତିକି ନୁହେଁ ନିୟମର ଉଲଂଘନ କଲେ କଠୋର ଦଣ୍ଡ ମଧ୍ୟ ମିଳିଥାଏ । କମ୍ପୁଟର ସାଇନ୍ସ ଗ୍ରାଯୁଏଟ ଜଣକ ଦେଶର ଏହି ନିୟମ ବିଷୟରେ ଭଲ ଭାବେ ଜାଣିଥିଲେ ମଧ୍ୟ ଗତ ମାର୍ଚ୍ଚ ମାସରେ ନିଜ ପସନ୍ଦର ଟିମ ‘ଏଷ୍ଟେଗଲାଲ’ ର ଏକ ମ୍ୟାଚ ଆଜାଦି ଷ୍ଟାଡିୟମରେ ଦେଖିବାକୁ ଯାଇଥିଲେ । ଷ୍ଟାଡିୟମର କଡା ସୁରକ୍ଷା ବ୍ୟବସ୍ଥାକୁ ଖାତିର ନକରି କୌଣସି ଉପାୟରେ ସହର ଷ୍ଟାଡିୟମ ଭିତରେ ପସି ଯାଇଥିଲେ । ଏକ ପୁରୁଷ ବେଶରେ ସେ ସେଠାରେ ମ୍ୟାଚର ମଜା ଉଠାଇଥିଲେ । ଏହି ସମୟରେ ହିଁ ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କ ଫୋଟୋଟି ଭାଇରାଲ ହୋଇଥିଲା । ସଙ୍ଗେ ସଙ୍ଗେ ପଡିଆ ମଧ୍ୟରେ ଉପସ୍ଥିତ ଥିବା ସୁରକ୍ଷା ଟିମ ସହରଙ୍କୁ ଗିରଫ କରି ନେଇଥିଲେ ।

ଏହା ପରେ କୋର୍ଟ ସହରଙ୍କୁ ସମନ ଜାରି କରିଥିଲେ । ସମନ ପାଇ ସହର କୋର୍ଟ ପରିସରରେ ପହଞ୍ଚିଥିଲେ ଓ ସେଠାରେ ଆତ୍ମଦାହ କରିଥିଲେ । ଏଥିରେ ତାଙ୍କର ପ୍ରାୟ ୯୦ ପ୍ରତିଶତ ଅଙ୍ଗ ସମ୍ପୂର୍ଣ ଜଳିଯାଇଥିଲା । ଅତି ଜଟିଳ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାର ଗୋଟେ ସପ୍ତାହ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ନିଜେ ଦୁନିଆ ଛାଡି ଚାଲିଗଲେ ସିନା ସେ ଯେମିତି ଏକ  ଇତିହାସ ସୃଷ୍ଟି କରିଦେଇଗଲେ । ତାଙ୍କର ଏହି ପଦକ୍ଷେପ ପରେ ସାରା ପୃଥିବୀ ଇରାନର ଏହି ଆଇନକୁ ନିନ୍ଦା କରିବାକୁ ଲାଗିଲା । ସହରଙ୍କ ପ୍ରକୃତ ଇଛା ଥିଲା କି ପୃଥିବୀର ଅନ୍ୟ ଦେଶ ଭଳି ଇରାନର ମହିଳା ମାନେ ମଧ୍ୟ ସ୍ୱାଧୀନ ଭାବେ ଷ୍ଟାଡିୟମରେ ବସି ମ୍ୟାଚ ଉପଭୋଗ କରନ୍ତୁ ।

ଏହା ସହ ପଢନ୍ତୁ: ଆଜି ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ, ଭାରତକୁ ପ୍ରଥମ ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତର କରିବ ଫ୍ରାନ୍ସ

କିନ୍ତୁ ସହରଙ୍କ ମୃତ୍ୟୁ ପରେ ହିଁ ଇରାନ ସରକାରଙ୍କୁ ଇସଲାମି କାନୁନରେ ଏକ ବଡ ପରିବର୍ତ୍ତନ ଆଣିବା ପାଇଁ ବାଧ୍ୟ କରିଥିଲା । ଆଉ ଗୋଟେ ଦିନ ପରେ ଅର୍ଥାତ ଅକ୍ଟୋବର ୧୦ ତାରିଖରେ ସେହି ଷ୍ଟାଡିୟମରେ ଆଉ ଏକ ମ୍ୟାଚ ହେବାକୁ ଯାଉଛି । ଯେଉଁ ଥିରେ ମହିଳା ମାନଙ୍କୁ ଷ୍ଟାଡିୟମରେ ସ୍ୱାଧୀନ ଭାବେ ବସି ମ୍ୟାଚ ଦେଖିବାର ଅନୁମତି ମିଳିଛି | ଏଥିରେ ସମୁଦାୟ ୩୫୦୦ ମହିଳା ମାନଙ୍କର ବସି ମ୍ୟାଚ ଦେଖିବାର ବ୍ୟବସ୍ଥା କରାଯାଇଛି । ଏହି ଘଟଣା ପରେ ସହର ସାରା ପୃଥିବୀରେ ବ୍ଳ୍ଲୁ ବା ନୀଳ ଗାର୍ଲର ଏକ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି । ସହରଙ୍କ ଏହି ସାହସିକ ପଦକ୍ଷେପ ପରେ ଇରାନର ମହିଳା ମାନେ ଯେ ଏକ ସ୍ୱାଧୀନତା ପାଇପାରିଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.