ଆନ୍ଧ୍ରପ୍ରଦେଶର ବିଶ୍ୱପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ବିବାଦକୁ ନେଇ ସମଗ୍ର ଦେଶରେ ଅସନ୍ତୋଷ ଜାରି ରହିଛି । ଏହାପରେ କର୍ଣ୍ଣାଟକ ସରକାର ସମସ୍ତ ହିନ୍ଦୁ ଧାର୍ମିକ ସଂସ୍ଥାରେ ପ୍ରସାଦ ପ୍ରସ୍ତୁତିର ଗୁଣବତ୍ତା ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପ୍ରସାଦ ପାଇଁ କେବଳ ‘କର୍ଣ୍ଣାଟକ ମିଲ୍କ ଫଡେରେସେନ୍’ ଦ୍ୱାରା ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ମଧ୍ୟରେ ଲକ୍ଷ୍ନୌ ସ୍ଥିତ ଏହି ମନ୍ଦିରରେ ମଧ୍ୟ ପ୍ରସାଦକୁ ନେଇ ସରକାର କଡ଼ା ନିୟମ ଜାରି କରିଛନ୍ତି ।
ଲକ୍ଷ୍ନୌ ସ୍ଥିତ ମନକାମେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁ ବଜାରରୁ କ୍ରୟ କରାଯାଇଥିବା ପ୍ରସାଦ ନେବା ଉପରେ କଟକଣା ଜାରି କରାଯାଇଛି । ଏନେଇ ପୀଠାଧୀଶ୍ୱର ମହନ୍ତ ଦେବଗିରି ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ନୋଟିସ୍ ଜାରି କରିଛନ୍ତି । ମନ୍ଦିରରେ ଭୋଗ ହେତୁ ନିଜେ ପ୍ରସ୍ତୁତ କରିଥିବା ପ୍ରସାଦ/ ଡ୍ରାଏ ଫ୍ରୁଟ୍ସ ଗର୍ଭଗୃହରେ ଅର୍ପଣ କରିପାରିବେ । ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ଦେଖାଦେଇଥିବା ପ୍ରସାଦ ବିବାଦକୁ ଦୃଷ୍ଟିରେ ରଖି ଏଭଳି କଟକଣା ଲଗାଯାଇଛି ।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ତିରୁମାଳା ମନ୍ଦିରର ଲଡ଼ୁ ତିଆରି ପାଇଁ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ । ପୂର୍ବରୁ ୱାଇଏସଆର କଂଗ୍ରେସ ଜଗନ ସରକାର ଏଭଳି କରିଥିବା ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ । ଏହାପରେ NDDB CALF ନାମକ ଘରୋଇ ଲ୍ୟାବରେ ଲଡ଼ୁର ମାନ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସତ ସାବ୍ୟସ୍ତ ହୋଇଛି । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ରିପୋର୍ଟ ମଗାଯାଇଛି ।