ଦୁଇବର୍ଷ ପରେ ସ୍ୱାଭାବିକ ହେବ ବିମାନ ଉଡାଣ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା

କରୋନା ମହାମାରୀ ଯୋଗୁଁ ପାଖାପାଖି ୨ ବର୍ଷ ହେଲାଣି ସ୍ୱାଭାବିକ ଉଡାଣ ହୋଇପାରୁନଥିଲା। ଏବେ ପୁଣି ଥରେ ଦୁଇବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଅନ୍ତର୍ଜାତୀୟ ବିମାନ ଉଡାଣ । କେନ୍ଦ୍ର ସରକାର ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଭାରତରେ ଅନ୍ତର୍ଜାତୀୟ ଉଡାଣକୁ ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଫେବୃଆରୀ ୨୮ରେ ଡିଜିସିଏ ନିୟମିତ ବାଣିଜ୍ୟିକ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ଉଡାଣ ଉପରେ କଟକଣାକୁ ବଢାଇଥିଲେ। ଗତ ୨୦୨୦ ମସିହା ୨୩ ମାର୍ଚ୍ଚରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲାଗିଥିଲା।
ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, କରୋନା ମାମଲା ହ୍ରାସ ଏବଂ ଷ୍ଟକ ହୋଲଡର୍ସଙ୍କ ରାୟ ପରେ ୨୭ ମାର୍ଚ୍ଚରୁ ପ୍ରତିଦିନ ଅନ୍ତର୍ରାଷ୍ଟ୍ରୀୟ ଉଡାଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ୨୬ ମାର୍ଚ୍ଚ ରାତି ୧୨ଟା ପର୍ଯ୍ୟନ୍ତ ରେଗୁଲାର ବିମାନ ଉଡାଣ ବନ୍ଦ ରହିବ । କିନ୍ତୁ ୨୭ ମାର୍ଚ୍ଚରୁ ଏହା ଆରମ୍ଭ ହେବ।
ଗତ କିଛିଦିନ ମଧ୍ୟରେ ୨୪ ଘଣ୍ଟାରେ ଭାରତରେ ୩୫୨୭ ନୂଆ ମାମଲା ମିଳିଥିଲା। ଯାହା ୧୨ ମଇ ୨୦୨୦ ତୁଳନାରେ ସବୁଠାରୁ କମ୍। ଜାନୁଆରୀ ୨୦୨୨ ତୁଳନାରେ ଫେବୃଆରୀ ୨୦୨୨ରେ ଅନ୍ତର୍ରାଷ୍ଟ୍ରୀୟ ଯାତ୍ରୀଙ୍କ ସଂଖ୍ୟା ୧୯ ପ୍ରତିଶତ ବୃଦ୍ଧି ପାଇଛି। ଜାନୁଆରୀରେ ୬୪ ଲକ୍ଷ ଭ୍ରମଣ କରିଥିବା ବେଳେ ଫେବୃଆରୀରେ ୭୬ ଲକ୍ଷ ଲୋକ ଭ୍ରମଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ପରେ ଏୟାର ବବଲ ବ୍ୟବସ୍ଥା ମାଧ୍ୟମରେ ଉଡାଣ ପରିଚାଳନା କରାଯାଉଥିଲା। ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାହାରିନ, ବାଂଲାଦେଶ, ଭୂଟାନ, କାନାଡା, ଇଣ୍ଡୋନେସିଆ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇରାକ୍, ନେଦରଲ୍ୟାଣ୍ଡ, ନାଇଜରିଆ, ଓମାନ, କତର, ରୁଷ, ସାଉଦୀ ଆରବ,ସିଙ୍ଗାପୁର, ଶ୍ରୀଲଙ୍କା, ସ୍ୱିଜରଲ୍ୟାଣ୍ଡ, ତାଞ୍ଜାନିଆ, ୟୁକ୍ରେନ, ୟୁଏଇ, ୟୁକେ, ଆମେରିକା ଏବଂ ଉଜବେକିସ୍ତାନ ସହ ଏୟାର ବବଲ ବୁଝାମଣା ସ୍ୱାକ୍ଷର କରିଛି।