ଟ୍ୟାକ୍ସି ଲୁଟ୍ ମାମଲାରେ ଧରାପଡ଼ିଲେ ଅଗ୍ନିବୀର, ବନ୍ଧୁକ ମୁନରେ କ୍ୟାବ୍ ଡ୍ରାଇଭରଙ୍କଠାରୁ କରୁଥିଲେ ଲୁଟ୍ପାଟ; ୨ ସହଯୋଗୀ ମଧ୍ୟ ଗିରଫ

ଟ୍ୟାକ୍ସି ଲୁଟ୍ ମାମଲାରେ ପଞ୍ଜାବ ପୋଲିସ ଜଣେ ଅଗ୍ନିବୀରଙ୍କୁ ଗିରଫ କରିଛି । ତାଙ୍କ ନାମ ଇଶ୍ମିତ ସିଂ ଓରଫ୍ ଇଶୁ । ୨୦୨୨ରେ ସେ ଭାରତୀୟ ସେନାରେ ନିଯୁକ୍ତି ପାଇଥିଲେ । ଏହି ମାମଲାରେ ତାଙ୍କର ୨ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ, ଇଶୁଙ୍କ ଭାଇ ପ୍ରଭପ୍ରୀତ୍ ସିଂ ଓରଫ୍ ପ୍ରଭ୍ ଓ ବଲକରଣ ସିଂ, ଯିଏକି ଏକ ଟ୍ୟାକ୍ସି ସର୍ଭିସ୍ ପାଇଁ କାମ କରୁଥିଲେ । ଅଭିଯୋଗ ମୁତାବକ, ଏହି ସମସ୍ତ ଅଭିଯୁକ୍ତ ଯାତ୍ରୀ ହୋଇ ଜଣେ କ୍ୟାବ୍ ଡ୍ରାଇଭରଙ୍କଠାରୁ ଲୁଟ୍ କରିଥିଲେ ।
୩ ଜଣ ଅଭିଯୁକ୍ତଙ୍କ ବୟସ ୧୮ରୁ ୨୨ ବର୍ଷ ମଧ୍ୟରେ ରହିଛି ଏବଂ ସମସ୍ତେ ଫାଜିଲ୍କାର ବାସିନ୍ଦା ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ତେବେ ଏକ ଲୁଟ୍ ଘଟଣାରେ ଜଣେ ଅଗ୍ନିବୀର ସମ୍ପୃକ୍ତ ଥିବା ନେଇ ପଞ୍ଜାବ ପୋଲିସ ସେନାକୁ ସୂଚିତ କରିଦେଇଛି । ଲୁଟ୍ପାଟ ଏବଂ ଚୋରି କରୁଥିବା ଏହି ୩ ଜଣିଆ ଗ୍ୟାଙ୍ଗ୍ ପୋଲିସ ହାତରେ ଧରାପଡ଼ିଛନ୍ତି ।
ଅଭିଯୁକ୍ତମାନଙ୍କ ନିକଟରୁ ଏକ ଚୋରି ଟ୍ୟାକ୍ସି, ସ୍ୱିଫ୍ଟ ଡିଜାୟର କାର୍, ଏକ ବୁଲେଟ୍, ଏକ ଆକ୍ଟିଭା ସ୍କୁଟର, ଦୁଇଟି ଜୀବନ୍ତ ଗୁଳି ସହ ଗୋଟିଏ ଦେଶୀ ପିସ୍ତଲ ଏବଂ ଦୁଇଟି ଚୋରି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଅଭିଯୁକ୍ତମାନେ ଆପ୍ ଜରିଆରେ ଟ୍ୟାକ୍ସି ବୁକ୍ କରୁଥିଲେ ଏବଂ ଏହାପରେ ବନ୍ଧୁକ ଦେଖାଇ ଡ୍ରାଇଭରଙ୍କଠାରୁ ଲୁଟି ନେଉଥିଲେ ।
ତଦନ୍ତ ଅଧିକାରୀ କହିଛନ୍ତି ଯେ ଇଶୁ ୨୦୨୨ରେ ସେନାରେ ନିଯୁକ୍ତି ପାଇବା ପରେ ପଶ୍ଚିମବଙ୍ଗରେ କାର୍ଯ୍ୟରତ ଥିଲେ । ମେ’ରେ ଏକ ମାସର ଛୁଟି ନେଇ ସେ ଘରକୁ ଆସିଥିଲେ । କିନ୍ତୁ କମ୍ ଦରମା ହେତୁ ସେ ସେନାକୁ ଫେରି ନ ଥିଲେ । ପୋଲିସ ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୭, ୩୦୮, ୧୨୫, ୬୧ (୨) ଏବଂ ଆମର୍ସ ଆକ୍ଟର ୨୫-୫୪-୫୯ ଅଧୀନରେ ମାମଲା ରୁଜୁ କରିଛି ।