ବିମାନ ଦୁର୍ଘଟଣା, ଗଭୀର ଶୋକ ପ୍ରକାଶ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

ଅହମ୍ମଦାବାଦରେ ଥିବା ବିମାନବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦରକୁ ଉଡ଼ାଣ ଭରିବା ମାତ୍ରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ବିମାନରେ କର୍ମଚାରୀଙ୍କ ସମେତ ମୋଟ ୨୪୨ ଜଣ ଥିଲେ । ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ରିଲିଫ୍ କାର୍ଯ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ “ହୃଦୟ ବିଦାରକ” ବୋଲି ବର୍ଣ୍ଣନା କରି ଟ୍ୱିଟରରେ ଲେଖିଛନ୍ତି : “ଅହମଦାବାଦର ଦୁର୍ଘଟଣା ଆମକୁ ମର୍ମାହତ ଏବଂ ଦୁଃଖିତ କରିଛି ।”
ଦୁଃଖ ପ୍ରକାଶ କରି ସେ ଲେଖିଛନ୍ତି ଯେ ଏହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ । ଏହି ଦୁଃଖର ମୁହୂର୍ତ୍ତରେ ଏହା ଦ୍ୱାରା ପ୍ରଭାବିତ ସମସ୍ତ ଲୋକଙ୍କ ସହିତ ମୋର ସମବେଦନା । ମୁଁ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାମ କରୁଥିବା ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହିତ ଯୋଗାଯୋଗରେ ଅଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ସୋସିଆଲ ସାଇଟ୍ X ରେ ଲେଖିଛନ୍ତି ଯେ ଅହମଦାବାଦରେ ହୋଇଥିବା ଦୁଃଖଦ ବିମାନ ଦୁର୍ଘଟଣାକୁ ମୁଁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ।
ସେ କହିଛନ୍ତି ଯେ ଦୁର୍ଘଟଣାସ୍ଥଳକୁ ତୁରନ୍ତ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ପଠାଯାଇଛି । ପରିସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୃହମନ୍ତ୍ରୀ ହର୍ଷ ସାଂଘଭି ଏବଂ ଅହମ୍ମଦାବାଦ ପୋଲିସ କମିଶନରଙ୍କ ସହ କଥା ହୋଇଛି ।

ଏୟାର ଇଣ୍ଡିଆ ଯାତ୍ରୀଙ୍କ ତାଲିକା ପ୍ରକାଶ କରିଛି । ଦୁର୍ଘଟଣାଗ୍ରସ୍ତ ବିମାନରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ ନାଗରିକ ଏବଂ ଜଣେ କାନାଡିଆନ ନାଗରିକ ଥିଲେ । ରାଜ୍ୟ ସରକାର ଏକ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଘୋଷଣା କରିଛନ୍ତି, ଯେଉଁଥିରେ ଆହତଙ୍କ ସମ୍ପର୍କୀୟଙ୍କ ବିଷୟରେ ସୂଚନା ପାଇବା ପାଇଁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଘୋଷଣା କରାଯାଇଛି ।

ଏୟାର ଇଣ୍ଡିଆ ଏକ ହେଲ୍ପଲାଇନ୍ ନମ୍ବର 1800-5691-444 ଘୋଷଣା କରିଛି । ସମ୍ପର୍କୀୟମାନେ ଏହି ହେଲ୍ପଲାଇନ୍ ନମ୍ବରରୁ ସୂଚନା ପାଇପାରିବେ । ଦୁର୍ଘଟଣା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ଜରୁରୀକାଳୀନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି । ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଜାରି ରହିଛି ।