ନେପାଳରେ ପୁଣି ହେଲିକପ୍ଟର କ୍ରାସ୍ । ନେପାଳର ନୁଭାକୋଟ୍ରେ ବୁଧବାର ଏୟାର ଡାୟନେଷ୍ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । କିଛି ଦିନ ତଳେ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା । ବିମାନଟି ଟେକଅଫ୍ କରିବା ସମୟରେ ରନୱେରୁ ଖସିଯିବାରୁ ନିଆଁ ଲାଗିଯାଇଥିଲା । ଏହି ବିମାନରେ ୧୯ ଜଣ ଲୋକ ଯାତ୍ରା କରୁଥିଲେ । ତେବେ ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଖବର ମୁତାବକ, ଏକ ପ୍ରାଇଭେଟ କମ୍ପାନୀ ‘ସୌର୍ଯ୍ୟ’ର ବିମାନ ୧୯ ଜଣ ଯାତ୍ରୀଙ୍କୁ ଧରି ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୋଖରା ପାଇଁ ଉଡାଣ ଭରୁଥିଲା । ଉଡାଣ ଭରିବା ସମୟରେ ବିମାନଟି ରନୱେରୁ ଖସିଯାଇଥିଲା । ଫଳରେ ସେଥିରେ ନିଆଁ ଲାଗିଯାଇଥିଲା ।
କୁହାଯାଉଛି ଯେ ନୁଭାକୋଟ୍ରେ ଦୁର୍ଘଟଣାର ଶିକାର ହୋଇଥିବା ହେଲିକପ୍ଟରରେ ୫ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଚୀନର ନାଗରିକ । ହେଲିକପ୍ଟରଟି ରସୁଭା ପାଇଁ ଉଡ଼ାଣ ଭରିବା ବେଳେ କ୍ରାସ୍ ହୋଇଯାଇଥିଲା । ଘଟଣାସ୍ଥଳରେ ରେସ୍କ୍ୟୁ କାର୍ଯ୍ୟ ଚାଲିଛି । ନୁଭାକୋଟର ଶିବପୁରୀ ଅଞ୍ଚଳରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।