ବିବାହର କେଇ ଘଣ୍ଟାରେ ସୀମାକୁ ଫେରିଲେ ବୀର ସୈନିକ, ଘରେ ଅପେକ୍ଷାରେ ନବବଧୂ

ମୁଣ୍ଡରେ ପଗଡି ବାନ୍ଧି ସଜେଇ ହୋଇଥିଲେ ବର ବେଶରେ । ପତ୍ନୀଙ୍କ ପାଇଁ ହାତରେ ମେହେନ୍ଦି ବି ଲଗାଇଥିଲେ । ହେଲେ ବିବାହ ଭଳି ଏକ ସ୍ୱତନ୍ତ୍ର ଦିନରେ କିନ୍ତୁ ତାଙ୍କ ମୁହଁରେ ଖୁସି ବଦଳରେ ଥିଲା ଚିନ୍ତା । ଶରୀର ସିନା ଥିଲା ବିବାହ ମଣ୍ଡପରେ ହେଲେ ହୃଦୟର ସ୍ପନ୍ଦନ ଚାଲୁଥିଲା ଦେଶ ପାଇଁ । ଏ କାହାଣୀ ହେଉଛି ରାଜଗଡ ମଧ୍ୟପ୍ରଦେଶର ଜଣେ ବାୟୁ ସୈନିକଙ୍କର । ଯାହାଙ୍କ ନା ମୋହିତ୍ ରାଠୋର । ଯିଏକି ନିଜ ବିବାହ ପାଇଁ ଗତ ୧୭ ଏପ୍ରିଲ୍ ରୁ ୧୫ ଦିନ ପାଇଁ ଛୁଟିରେ ଆସିଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଲେଖା ଥିଲା ।
ଯେତେବେଳେ ମୋହିତ୍ ନିଜ ପତ୍ନୀଙ୍କ ସହ ବିବାହ ଦେବୀରେ ସାତ ଫେରା ନେଉଥିଲେ, ସେତେବେଳେ ଭାରତ ପାକିସ୍ତାନ ଭିତରର ଉତ୍ତେଜନା ଚରମ ସ୍ଥିତିରେ ଥିଲା । ଭାରତ ମାଆକୁ ନିଜ ବୀର ପୁତ୍ର ମାନଙ୍କର ଆବଶ୍ୟକତା ଥିଲା । ମୋହିତ୍ ବି ସେହି ବୀର ପୁତ୍ରମାନଙ୍କ ଭିତରୁ ଜଣେ । ଯିଏକି ନିଜ ମାଆ ମାଟିର ସେବା କରିବା ପାଇଁ ସବୁବେଳେ ପ୍ରସ୍ତୁତ । ମୋହିତ୍ ଙ୍କୁ ପ୍ରଥମରୁ ହିଁ ଛୁଟି ରଦ୍ଦ ହେବାର ଆଦେଶ ମିଳି ସାରିଥିଲା । ତେଣୁ କରି ତ ବିବାହର କେଇ ଘଣ୍ଟା ଭିତରେ ମୋହିତ୍ ବିନା କୌଣସି କୁଣ୍ଠାବୋଧ, ବିନା କୌଣସି ଅଭିଯୋଗରେ ସେନା ବର୍ଦ୍ଦି ପିନ୍ଧି ଦେଶକୁ ସୁରକ୍ଷା ଦେବାକୁ ବାହାରି ପଡିଥିଲେ ।
ତେବେ ଗଲାବେଳେ ମୋହିତ୍ ନିଶ୍ଚିତ ଭାବେ ଛାତିରେ ପଥର ରଖି ନିଜ ନବବଧୂଙ୍କ ଠାରୁ ବିଦାୟ ନେଇଥିବେ । ଆଉ କହିଥିବେ ଏବେ ସମୟ ଆସିଛି ଦେଶ ପାଇଁ କିଛି କରି ଦେଖାଇବାର । ତେବେ ଯାହା ସୂଚନା ମିଳିଛି କି, ମୋହିତ୍ ଯିବା ସମୟରେ ତାଙ୍କ ସାହାସୀ ପତ୍ନୀ ତାଙ୍କୁ ଦେଶର କୋଟି କୋଟି ମହିଳାଙ୍କ ସିନ୍ଦୂରକୁ ବଞ୍ଚାଇ ରଖିବାର ଶପଥ ଦେଇ ଖୁସିର ସହ ବିଦାୟ ଦେଇଥିଲେ । କୁରାୱାର ୱାର୍ଡ ନମ୍ବର ୧୫ରେ ରହୁଥିବା ମୋହିତ୍ ଙ୍କ ବାପା ମହେଶ ରାଠୋରଙ୍କର ଏକ ଗ୍ରୋସରୀ ଦୋକାନ ରହିଛି ।
ତେବେ ମୋହିତ୍ ଙ୍କ ସୂଚନା ଅନୁଯାୟୀ ତାଙ୍କୁ ଗତ ବୁଧବାର ଠାରୁ ହିଁ ହେଡ୍ କ୍ୱାର୍ଟରରୁ ଫୋନ୍ ଆସି ସାରିଥିଲା । ଯେଉଁଥିରେ କୁହାଯାଇଥିଲା କି ତାଙ୍କ ଛୁଟି ରବ୍ଦ ହୋଇଯାଇଛି । ସେହି ସମୟରେ ମୋହିତ୍ କହିଥିଲେ କି ଗୁରୁବାର ହିଁ ତାଙ୍କ ବିବାହ । ଏକଥା ଶୁଣି ତାଙ୍କୁ ଶନିବାର ଯାଏ ରହିବାକୁ ଅନୁମତି ମିଳିଥିଲା । ଶନିବାରକୁ ଯାହା ହେଲେ ତାଙ୍କୁ ଡ଼ିଉଟିରେ ଜଏନ କରିବାର ଥିଲା । ତେଣୁ ଶୁକ୍ରକାର ନବବଧୂଙ୍କୁ ଧରି ଫେରିବା ପରେ ହିଁ ସେ ନିଜ ପୋଷ୍ଟକୁ ଫେରିବା ପାଇଁ ପ୍ରସ୍ତୁତି କରିଥିଲେ ।
ମୋହିତ୍ ଙ୍କ କହିବା କଥା, ଏବେ ତାଙ୍କୁ ଭାରତ ମାଆର ସେବା କରିବାର ସୁଯୋଗ ମିଳିଛି । ତେଣୁ ନିଜ ନବବଧୂଙ୍କ ଠାରୁ ଅନୁମତି ନେଇ ନିଜ ସେବାକୁ ସେ ଫେରିଛନ୍ତି । ଏପଟେ ଏହି ଖବର ମିଳିବା ପରେ ମୋହିତଙ୍କ ଶ୍ୱଶୁର ଦୁଃଖର ସହ ନିଜ ଜ୍ୱାଇଁକୁ ବିଦାୟ ଦେଇଛନ୍ତି ସତ କିନ୍ତୁ ଜ୍ୱାଇଁର ଏଭଳି ନିଷ୍ପତି ପାଇଁ ସେ ଗର୍ବିତ ବୋଲି କହିଛନ୍ତି ।
ତେବେ ସୂଚନା ଥାଉକି, ଭାରତ ଏବଂ ପାକିସ୍ତାନ ସୀମାରେ ଉତ୍ତେଜନା ଜାରି ରହିଛି । ଲଗାତାର ପାକିସ୍ତାନ ଅନେକ ଭାରତୀୟ ସହର ଉପରେ ଆକ୍ରମଣ କରିଥିଲା, ଯାହାର ଭାରତୀୟ ସେନା ଉଚିତ୍ ଜବାବ ଦେଉଛି । ଯାହା ଫଳରେ ଭାରତ-ପାକ୍ ଉତ୍ତେଜନା ସ୍ଥିତିକୁ ନେଇ ସବୁ ଜବାନଙ୍କ ଛୁଟି ବାତିଲ କରାଯାଇଛି ।
ମୋହିତ୍ ଙ୍କ ଭଳି ଅନେକ ଜବାନ ଯେଉଁମାନେ କି ଛୁଟି ନେଇ ନିଜ ପରିବାର ସହିତ କିଛି ସମୟ ବିତାଇବା ପାଇଁ ଯାଇଥିବେ, କିନ୍ତୁ ସବୁକିଛି ଛାଡି ସେମାନଙ୍କୁ ମାଆ ମାଟିର ସେବା କରିବା ପାଇଁ ବର୍ଡରକୁ ଫେରିବାକୁ ପଡିଥିବ । ଏମିତି ଅନେକ କାହାଣୀ ରହିଛି ଯାହାକୁ ଶୁଣି ହୃଦୟ କାନ୍ଦି ଉଠିବ ସତ କିନ୍ତୁ ସବୁଠୁ ପ୍ରଥମେ ଦେଶ ସେବା ଯାହା ଭାରତର ପ୍ରତ୍ୟକ ସୈନିକ ପ୍ରତ୍ୟକ ନାଗରିକ ନାହାତୀ ଭାବେ ଅନୁଭବ କରିଥାନ୍ତି ।
ଆହୁରି ପଢନ୍ତୁ: ପାକିସ୍ତାନର ଡ୍ରୋନ ଆକ୍ରମଣ : ଅମୃତସରରେ ରେଡ ଆଲର୍ଟ, ଘରେ ରହିବାକୁ ପ୍ରଶାସନଙ୍କ ନିର୍ଦ୍ଦେଶ