କେରଳର କନ୍ନୁର ବିମାନବନ୍ଦରରେ ଜଣେ ଏୟାର ହୋଷ୍ଟେସ୍ଙ୍କ ପାଖରୁ ପାଖାପାଖି ୧ କିଲୋ ସୁନା ଜବତ ହୋଇଛି । ଏହାକୁ ସେ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁଚାଇ ରଖିଥିଲେ । ଅଭିଯୋଗ ମୁତାବକ, ଏୟାର ହୋଷ୍ଟେସ୍ ଜଣକ ହେଉଛନ୍ତି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର । ତାଙ୍କଠାରୁ ଏତେ ପରିମାଣର ସୁନା ଜବତ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ସେ ମସ୍କଟ୍ରୁ ଏହି ସୁନାକୁ ନିଜ ପ୍ରାଇଭେଟ୍ ପାର୍ଟରେ ଲୁଚାଇ ଆଣିଥିବା ଅଭିଯୋଗ ହୋଇଛି । କୁହାଯାଉଛି ଯେ ପୂର୍ବରୁ ମଧ୍ୟ ସେ ଏହିପରି ଭାବେ ଅନେକ ଥର ସୁନା ଚୋରା ଚାଲାଣ କରିଛନ୍ତି ।
ବିମାନବନ୍ଦରରୁ ଧରାପଡ଼ିଥିବା ଏହି ଏୟାର ହୋଷ୍ଟେସ୍ଙ୍କ ନାମ ସୁରଭି ଖାତୁନ । ସେ କୋଲକାତାର ବାସିନ୍ଦା ବୋଲି ଜଣାପଡ଼ିଛି । ତାଙ୍କ ପାଖରୁ ପାଖାପାଖି ୯୬୦ ଗ୍ରାମ ସୁନା ରାଜସ୍ୱ ଗୁଇନ୍ଦା ବିଭାଗ (ଡିଆର୍ଆଇ) ଜବତ କରିଛି । ପରେ ଅଭିଯୁକ୍ତ ସୁରଭିଙ୍କୁ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯାଇଥିଲା । ସେଠାରୁ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଯାଇଛି ।
ମିଳିଥିବା ସୂଚନା ମୁତାବକ, ସୁରଭି ମସ୍କଟ୍ରୁ କନ୍ନୁର ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନର କ୍ୟାବିନ୍ କ୍ରୁ ମେମ୍ବର ଥିଲେ । ସେ ପୂର୍ବରୁ ମଧ୍ୟ ଅନେକ ବାର ଏପରି ସୁନା ଚୋରା ଚାଲାଣ କରିଛନ୍ତି । ଗୁଇନ୍ଦା ସୂଚନା ଆଧାରରେ କନ୍ନୁର ଡିଆର୍ଆଇ ଟିମ୍ ସମ୍ପୃକ୍ତ ଏୟାର ହୋଷ୍ଟେସ୍ଙ୍କୁ ଗିରଫ କରିଛି । ତେବେ ସୁନାକୁ ଯେଉଁପରି ଆକାର ଦିଆଯାଇ ପ୍ରାଇଭେଟ୍ ପାର୍ଟରେ ରଖାଯାଇଥିଲା, ତାହାକୁ ନେଇ ବିମାନବନ୍ଦର ସୁରକ୍ଷାରେ ମୁତୟନ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
୯୬୦ ଗ୍ରାମ ସୁନାକୁ ସ୍ୱତନ୍ତ୍ର ଆକାର ଦିଆଯାଇଥିଲା । ପୁରୁଷ ଗୁପ୍ତାଙ୍ଗ ଆକାରରେ ଏହି ସୁନାକୁ ଏୟାର ହୋଷ୍ଟେସ୍ ଜଣକ ନିଜ ପ୍ରାଇଭେଟ୍ ପାର୍ଟରେ ରଖିଥିଲେ । କହି ରଖୁଛୁ ଯେ ଭାରତରେ ଏହା ହେଉଛି ପ୍ରଥମ ଘଟଣା, ଯେଉଁଠି ଏୟାରଲାଇନ୍ ଚାଳକ ଦଳର କେହି ଜଣେ ସଦସ୍ୟ ନିଜ ପ୍ରାଇଭେଟ୍ ପାର୍ଟରେ ସୁନା ଲୁଚାଇ ଚୋରା ଚାଲାଣ କରୁଥିଲେ ।