ଢାକାକୁ ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ, ବାଂଲାଦେଶରେ ଏୟାର ଟ୍ରାଫିକ୍‌ ପ୍ରଭାବିତ

ବାଂଲାଦେଶରେ ଜାରି ରହିଥିବା ହିଂସାକୁ ନଜରରେ ରଖି ଟାଟା ଗ୍ରୁପ୍‌ର ଏୟାରଲାଇନ୍ କମ୍ପାନୀ ‘ଏୟାର ଇଣ୍ଡିଆ’ ଢାକା ପାଇଁ ସମସ୍ତ ବିମାନକୁ ତୁରନ୍ତ ବାତିଲ କରିଦେଇଛି । ଏୟାରଲାଇନ୍‌ କହିଛି ଯେ ‘ଆମ ପାଇଁ ଆମର ଯାତ୍ରୀ ଏବଂ ଚାଳକ ଦଳର ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ’ ।

ବାଂଲାଦେଶରେ କ୍ରମାଗତ ହିଂସାତ୍ମକ ବିରୋଧ ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ଭାରତ ପଳାଇ ଆସିଛନ୍ତି ।

ଏୟାରଲାଇନ୍‌ର ଏହି ନିଷ୍ପତ୍ତି ପରେ ଭାରତରୁ ଢାକାକୁ ନା କୌଣସି ବିମାନ ଯିବ ନା ଢାକାରୁ ଭାରତକୁ କୌଣସି ବିମାନ ଆସିପାରିବ । ଏହା ବ୍ୟତୀତ ଢାକାର ଶାହଜଲାଲ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ଉପରେ ମଧ୍ୟ ହିଂସାର ପ୍ରତିକୂଳ ପ୍ରଭାବ ପଡ଼ିଛି ।

ଏୟାର ଇଣ୍ଡିଆ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛି ଯେ ‘ବାଂଲାଦେଶର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଢାକାରୁ ଯିବାଆସିବା କରୁଥିବା ସମସ୍ତ ବିମାନ ଉଡ଼ାଣକୁ ତତ୍କାଳ ପ୍ରଭାବରେ ବାତିଲ କରିଛୁ । ଆମେ କ୍ରମାଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛୁ । କନ୍‌ଫର୍ମ ବୁକିଂର ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରୁଛୁ, ଯେଉଁଥିରେ ରିଶିଡ୍ୟୁଲିଙ୍ଗ୍‌ ଏବଂ ବାତିଲ ଦେୟ ଉପରେ ଗୋଟିଏ ଥରର ଛାଡ ରହିବ । ଅଧିକ ସୂଚନା ପାଇଁ ଆମର ୨୪ ଘଣ୍ଟିଆ ଯୋଗାଯୋଗ କେନ୍ଦ୍ରକୁ 011-69329333 କିମ୍ବା 011-69329999ରେ କଲ୍‌ କରିପାରିବେ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.