ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଜରୁରୀ ଅବତରଣ, ହଠାତ୍ ସ୍ମୋକ୍ ଆଲାର୍ମ ବାଜିଥିଲା

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଜରୁରୀ ଅବତରଣ। ବାଗଡୋଗ୍ରାରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ହଠାତ୍ ସ୍ମୋକ୍ ଆଲାର୍ମ ବାଜିବାରୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନର ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର ସୁରକ୍ଷିତ ଥିବା ଜଣାପଡିଛି। ବିମାନଟି ପ୍ରାୟ ୩୬ ହଜାର ଫୁଟ ଉଚ୍ଚତାରେ ଥିବାବେଳେ ସ୍ମୋକ ଆଲାର୍ମ ବାଜିଥିଲା।

ସ୍ଥିତି ଗମ୍ଭୀର ଥିବାରୁ ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ଯୋଗାଯୋଗ କରି ସହାୟତା ମାଗିଥିଲେ। ବିମାନରେ ୧୪୨ ଜଣ ଯାତ୍ରୀ ଏବଂ ୬ ଜଣ କ୍ରିଉ ସଦସ୍ୟ ଥିଲେ। ପାଇଲଟଙ୍କ କଲ ମିଳିବା ପରେ ତୁରନ୍ତ ଲକ୍ଷ୍ନୌ ଏଟିସି ବିମାନକୁ ଅବତରଣ କରିବାକୁ କମାଣ୍ଡ ଦେଇଥିଲେ। ବିମାନଟି ସନ୍ଧ୍ୟା ପ୍ରାୟ ୫:୧୭ ମିନିଟରେ ଲକ୍ଷ୍ନୌରେ ଅବତରଣ କରିଥିଲା।

ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ସହ ସେମାନଙ୍କୁ ଅନ୍ୟ ଟର୍ମିନାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରାଥମିକ ଯାଞ୍ଚରୁ ବିମାନରେ ନିଆଁ ଲାଗିବାର କୌଣସି ପ୍ରମାଣ ମିଳିନାହିଁ। ବୈଷୟିକ ତ୍ରୁଟି ଯୋଗୁଁ ଆଲାର୍ମ ବାଜିଥିବା ଅନୁମାନ କରାଯାଉଛି। ବିମାନର ଯାଞ୍ଚ ଜାରି ରହିଥିବା ବେଳେ ଏହି ଦୁର୍ଘଟଣା ପାଇଁ ଡିଜିସିଏ ଏୟାର ଇଣ୍ଡିଆକୁ ରିପୋର୍ଟ ମାଗିଛନ୍ତି।