ସିଡନୀ ବିମାନ ବନ୍ଦର ଦୋକାନରୁ ଚୋରି କରୁଥିଲେ ଏୟାର ଇଣ୍ଡିଆର ପାଇଲଟ୍, ଧରାପଡ଼ିବା ପରେ ଚାକିରିରୁ ହେଲେ ନିଲମ୍ବିତ
ସେ ହେଉଛନ୍ତି ଏୟାର ଇଣ୍ଡିଆର ବରିଷ୍ଠ ପାଇଲଟ୍ । ଗତ ଶନିବାର ଦିନ ଅଷ୍ଟ୍ରେଲିଆର ସିଡନୀ ବିମାନ ବନ୍ଦରରେ ଥିବା ଡିଉଟି-ଫ୍ରୀ ଦୋକାନରୁ ମନିପର୍ସ ଚୋରି କରିଥିଲେ । ଦୋକାନୀଙ୍କୁ ଚୋରିର ଖବର ମିଳିଲା ବେଳକୁ କ୍ୟାପଟେନ୍ ରୋହିତ ଭାସିନ ସିଡନୀରୁ ନୂଆ-ଦିଲ୍ଲୀକୁ ଆସୁଥିବା ବିମାନ ଏଆଇ-୩୦୧ ଚଳାଉଥିଲେ । ତେବେ ତାଙ୍କ ଚୋରି ଖବର ତା ପୂର୍ବରୁ ଆସି ନୂଆଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚି ସାରିଥିଲା । ବିମାନ ଅବତରଣ କଲା ପରେ ରୋହିତ ପାଇଲେ ଚାକିରିରୁ ନିଲମ୍ବିତ ହେବାର ଖବର ।
ସିଡନୀ ବିମାନ ବନ୍ଦରରେ ଥିବା ଟୁମି ଦୋକାନରୁ ରୋହିତ ଜାଣିଶୁଣି ଚୋରି କରିଥିବାର ଅଭିଯୋଗ ପାଇବା ପରେ ଅଷ୍ଟ୍ରେଲେସିଆର ଆଞ୍ଚଳିକ ମୁଖ୍ୟ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ । ଏ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଏଆର ଇଣ୍ଡିଆର ମୁଖ୍ୟ ଅମ୍ରିତା ସାରନ୍ ।
ଅବଶ୍ୟ ଚୋରି ଘଟଣାକୁ ନେଇ ଭାସିନ ଅଧିକାରୀଙ୍କ ନିକଟରେ ନିଜ ସଫେଇ ଦେଇ କହିଥିଲେ କି ଜେଜେ ବାପା ହେବାର ଖବର ପାଇ ନିଜ ବୋହୂ ପାଇଁ ଏକ ମନିପର୍ସ ଉପହାର ନେବା ଲାଗି ଟୁମି ଦୋକାନକୁ ଯାଇଥିଲେ । ହେଲେ ବିମାନ ଉଡାଣ ସମୟ ହୋଇଯିବାରୁ ବ୍ୟସ୍ତରେ ପଇସା ଦେବାକୁ ଭୁଲି ଯାଇଥିଲେ ।
ଭାସିନ ହେଉଛନ୍ତି ଏୟାର ଇଣ୍ଡିଆର ଜଣେ ବରିଷ୍ଠ ପାଇଲଟ | ସେ ବିଗତ ୩୦ ବର୍ଷ ହେବ ପାଇଲଟ କାମରେ ନିୟୋଜିତ ଅଛନ୍ତି । ତାଙ୍କ ପରିବାରେ ପ୍ରାୟ ସମସ୍ତେ ପାଇଲଟ । ତାଙ୍କ କହିବା ମୁତାବକ ସେ ପୁରାତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ୱତନ୍ତ୍ର ବିମାନ ମଧ୍ୟ ଉଡାଇଛନ୍ତି ।
ଏହି ଘଟଣା ପାଇଁ ଭାସିନଙ୍କୁ ନିଜ ଅଂଚଳ (କୋଲକାତା)ରୁ କୁଆଡେ ନଯିବା ପାଇଁ କୁହାଯାଇଛି । ଏହା ସହ ତାଙ୍କର ପାଇଲଟ ପରିଚୟପତ୍ରକୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ପାଖରେ ଜମା ଦେବା ପାଇଁ ଆଦେଶ ଦିଆଯାଇଛି ।