Air India ଯାତ୍ରୀଙ୍କ ପାଇଁ ଜାରି କଲା ଜରୁରୀ ସୂଚନା, ଅଗଷ୍ଟ ୮ ଯାଏ ଏହି ସହରକୁ ସମସ୍ତ ବିମାନ ସସ୍ପେଣ୍ଡ

ଟାଟା ଗ୍ରୁପ୍ର ଏୟାରଲାଇନ୍ କମ୍ପାନୀ ‘ଏୟାର ଇଣ୍ଡିଆ’ ନିଜ ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି । ଏୟାର ଇଣ୍ଡିଆ ନିଜ ଅଫିସିଆଲ୍ ‘X’ ଆକାଉଣ୍ଟରେ ଶୁକ୍ରବାର ଏହି ସୂଚନା ଦେଇଛି । ଇସ୍ରାଏଲ୍-ଇରାନ୍ ସଙ୍କଟ ମଧ୍ୟରେ ଇସ୍ରାଏଲର ତେଲ ଅଭିଭ୍କୁ ଚଳାଚଳ କରୁଥିବା ସମସ୍ତ ବିମାନକୁ ତତ୍କାଳ ପ୍ରଭାବରେ ବନ୍ଦ କରିବାକୁ ଏୟାର ଇଣ୍ଡିଆ ନିଷ୍ପତ୍ତି ନେଇଛି ।
ଏୟାରଲାଇନ୍ କହିଛି ଯେ ତେଲ ଅଭିଭ୍କୁ ଯିବାଆସିବା କରୁଥିବା ସମସ୍ତ ବିମାନକୁ ଅଗଷ୍ଟ ୮ ଯାଏ ସସ୍ପେଣ୍ଡ କରାଯାଇଛି । ସେମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଅତିଥି ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷା ହେଉଛି ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା । ଯାତ୍ରୀମାନଙ୍କ ସହାୟତା ନିମନ୍ତେ ଏୟାର ଇଣ୍ଡିଆ ଦୁଇଟି ଫୋନ୍ ନମ୍ବର 011-69329333 ଓ 011-69329999 ଜାରି କରିଛି । ଏହି ହେଲ୍ପଲାଇନ୍ ନମ୍ବର ୨୪ ଘଣ୍ଟା ଖୋଲା ରହିବ ।
କହି ରଖୁଛୁ ଯେ ଇରାନ୍ର ନୂଆ ରାଷ୍ଟ୍ରପତି ମସୁଦ ପେଜେସ୍କିୟାନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପରେ ହମାସ ନେତା ଇସମାଇଲ ହନିୟେଙ୍କୁ ଜୁଲାଇ ୩୧ରେ ହତ୍ୟା କରାଯାଇଥିଲା । ହମାସ୍ ନିଜର ରାଜନୈତିକ ବ୍ୟୁରୋ ମୁଖ୍ୟଙ୍କ ମୃତ୍ୟୁ ପାଇଁ ଇସ୍ରାଏଲର ଏୟାର ଷ୍ଟ୍ରାଇକକୁ ଦାୟୀ କରିଛି ।
ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପାଇଁ ଇସ୍ରାଏଲ ହନିୟେ ଏବଂ ଅନ୍ୟ ହମାସ ନେତାମାନଙ୍କୁ ମାରିବାକୁ ଶପଥ ନେଇଥିଲା । ହନିୟେଙ୍କ ହତ୍ୟା ପରେ ଏକ ବ୍ୟାପକ କ୍ଷେତ୍ରୀୟ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି ।