ଥଣ୍ଡା ଆରମ୍ଭ ହେବା ମାତ୍ରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ଚ୍ୟାଲେଞ୍ଜ ପାଲଟିଯାଏ । ଏଥିରୁ ବର୍ତ୍ତିବା ପାଇଁ ସରକାର ବିଭିନ୍ନ ପ୍ରକାରର ନିୟମ ପାଳନ କରନ୍ତି । କିନ୍ତୁ ଏହା କିଛି ଲାଭଦାୟକ ହୁଏନାହିଁ । ଚଳିତବର୍ଷ ମଧ୍ୟ ଏମିତି ହୋଇଛି । ନଭେମ୍ବର ମାସ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀରେ ଏମିତି ଘଟିଛି । ଦିଲ୍ଲୀରେ ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି । ଆଜି ସକାଳୁ ଦିଲ୍ଲୀରେ ବାୟୁର ମାନ ୪୮୦ ଉପରେ ଥିବା ରେକର୍ଡ କରାଯାଇଛି । ଫଳରେ ମୁକାବିଲା ପାଇଁ ଆଜିଠୁ ସକାଳ ୮ଟାରୁ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ ହୋଇଛି । ଗ୍ରାପ-୪ ଲାଗୁ ହେବା ପରେ ପ୍ରଦୂଷଣ ସ୍ତର ଗମ୍ଭୀର ସ୍ଥିତିରେ ଦେଖି କଡା ପଦକ୍ଷେପ ନିଆଯାଇଛି ।
କାହାକୁ ମିଳିବନି ଅନୁମତି :
ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ । ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ ।
BS-4 କିମ୍ବା ତାଠୁ କମ୍ ମାନକ ଡିଜେଲ ଚାଳିତ ମିଡିୟମ୍ ଗୁଡସ୍ ଭେଇକିଲ୍ ଓ ହେଭି ଗୁଡସ୍ ଭେଇକିଲ୍ ଉପରେ ପ୍ରତିବନ୍ଧକ ରହିବ । ଏଥିପାଇଁ ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଗତ ରାତିରୁ ଚେକିଂକୁ କଡ଼ାକଡ଼ା କରାଯାଇଛି ।
ଦିଲ୍ଲୀ-ଏନସିଆରରେ ସମସ୍ତ ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ବନ୍ଦ ରହିବ ।
ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ବାକି ସମସ୍ତ କ୍ଲାସ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ । ଅନଲାଇନ୍ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି ।
ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି ।
ଏଥିସହ ଦିଲ୍ଲୀରେ ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ କୁହାଯାଇଛି । ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
କାହାକୁ ଦିଆଯିବନି ଅନୁମତି :
କେବଳ ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ ।
ସିଏନଜି ଏବଂ ବିଏସ ୬ ଡିଜେଲ ଗାଡିକୁ ଅନୁମତି ।
ହସପିଟାଲ, ଚିକିତ୍ସା ସୁବିଧା, ଅନ୍ୟ ଜରୁରୀକାଳୀନ ସେବା ।
ସଫାସୁତରା ପାଇଁ ପ୍ରୋଜେକ୍ଟ କାମ ଜାରି ରହିବ ।
ରିଟେଲ ଦୋକାନ, ଫାର୍ମାସୀ, ପେଟ୍ରୋଲ ପମ୍ପ, ରାଶନ ବିତରଣ କେନ୍ଦ୍ର ଭଳି ସେବା ଖୋଲା ରହିବ ।
ମେଟ୍ରୋ, ବସ୍, ଟ୍ୟାକ୍ସି ସେବା ଜାରି ରହିବ ।
ବିଦ୍ୟୁତ, ପାଣି ସେବା ମଧ୍ୟ ଖୋଲା ରହିବ ।
ଏହାପୂର୍ବରୁ ଅକ୍ଟୋବର ୧୪ ତାରିଖରେ ଗ୍ରେପ୍-୧, ଅକ୍ଟୋବର ୨୧ରେ ଗ୍ରେପ୍-୨ ଏବଂ ନଭେମ୍ବର ୧୪ ତାରିଖରେ ଗ୍ରେପ୍-୩ ଲାଗୁ ହୋଇଥିଲା ।