ମଧ୍ୟପ୍ରଦେଶରେ କ୍ରାସ୍‌ ହୋଇ ଦୁଇ ଫାଳ ହେଲା ବିମାନ, ୨ ପାଇଲଟ୍‌ ଆହତ

ମଧ୍ୟପ୍ରଦେଶର ଗୁନାରେ ଶା-ଶିବ ବିମାନ ଚଳାଚଳ ଏକାଡେମୀର ଦୁଇ ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟ ୧୫୨ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣ ପାଇଲଟ୍‌ ଆହତ ହୋଇଛନ୍ତି । ଟେଷ୍ଟ୍‍ ଫ୍ଲାଇଟ୍‌ ପାଇଁ ଦୁଇ ପାଇଲଟ୍ ଏହାକୁ ନେଇ ଉଡ଼ାଣ ଭରିଥିଲେ । ପ୍ରାୟ ୪୦ ମିନିଟ୍ ଉଡ଼ିବା ପରେ ବିମାନଟି ଗୁନାର ଏୟାରକ୍ରାଫ୍ଟ ପରିସରରେ କ୍ରାସ୍‌ ହୋଇଥିଲା ।

ଇଞ୍ଜିନ ଫେଲ୍‌ ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣାରେ କ୍ୟାପଟେନ ଭିସି ଠାକୁର ଏବଂ ଅନ୍ୟ ଜଣେ ପାଇଲଟ ଆହତ ହୋଇଛନ୍ତି । କ୍ୟାଣ୍ଟ ପୋଲିସ ସହ ଏକାଡେମୀର ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । କୁହାଯାଉଛି ଯେ ଟେଷ୍ଟିଙ୍ଗ୍‌ ଏବଂ ମେଣ୍ଟନାନ୍ସ ପାଇଁ ଏୟାରକ୍ରାଫ୍ଟକୁ ଗୁନା ଅଣାଯାଇଥିଲା ।

ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ବିମାନଟି ବେଲଗାଭି ଆଭିଏସନର । ଉଭୟ ପାଇଲଟ୍ ବେଲଗାଭି ଆଭିଏସନରୁ ହିଁ ଆସିଥିଲେ । ଶନିବାର ସେମାନେ ଗୁନା ଆସିଥିଲେ । ଆହତ ଦୁଇ ପାଇଲଟ ହାଇଦ୍ରାବାଦର ବୋଲି କୁହାଯାଉଛି ।

ଗତକାଲି ବ୍ରାଜିଲରେ ମଧ୍ୟ ଭୟଙ୍କର ବିମାନ ଦୁର୍ଘଟଣାରେ ୬୨ ଜଣଙ୍କ ମୃତ୍ୟୁ ହୋଇଛି । ଏକ ଟର୍ବୋପ୍ରପ ପ୍ଲେନ ବ୍ରାଜିଲର ସାଓ ପାଉଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୃତକଙ୍କ ମଧ୍ୟରେ ୫୮ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟ ଥିଲେ । ବିମାନଟି କାସକେଭାଲରୁ ଉଡ଼ାଣ ଭରିଥିଲା । ସାଉ ପାଓଲ ଅଭିମୁଖେ ଯିବାବେଳେ ଏହାର ସିଗନାଲ ବିଚ୍ଛିନ୍ନ ହୋଇଯାଇଥିଲା । ଦୁର୍ଘଟଣା ପୂର୍ବରୁ ବିମାନଟି ୧୭ ହଜାର ଫୁଟ ଉଚ୍ଚତାରେ ଉଡୁଥିଲା । ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.