ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର: ଏବେ ସବୁ ଫ୍ଲାଇଟ୍‌ରେ ମିଳିବ ଖାଦ୍ୟ, ଖବରକାଗଜ ଭଳି ସୁବିଧା

ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଦେଶର ଲକ୍ଷ ଲକ୍ଷ ବିମାନ ଯାତ୍ରୀଙ୍କୁ ଏବେ ମିଳିବ ଅନେକ ସୁବିଧା, ଯାହା ସେମାନଙ୍କ ଯାତ୍ରାକୁ ଆହୁରି ସୁଖଦ କରିବ। ବିମାନ ଚଳାଚଳ ମନ୍ତ୍ରାଳୟ (Ministry of Civil Aviation) ପକ୍ଷରୁ ଏବେ ସମସ୍ତ ବିମାନରେ ଖାଇବା ପିଇବା, ଖବରକାଗଜ ଭଳି ସୁବିଧା ପ୍ରଦାନ କରିବାକୁ ଏୟାରଲାଇନ୍ସକୁ ଅନୁମତି ଦେଇଛନ୍ତି। ପ୍ରକାଶ ଯେ ସରକାର ଚଳିତ ବର୍ଷ ଏପ୍ରିଲ ୧୫ରେ ୨ ଘଣ୍ଟା କିମ୍ବା ତା’ଠାରୁ କମ୍‌ ସମୟ ଉଡ଼ାଣ ଭରୁଥିବା ବିମାନରେ ଖାଇବା, ପିଇବା ଓ ଖବରକାଗଜ ବିତରଣ ସେବା ବନ୍ଦ କରିଦେଇଥିଲେ।

ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ସମସ୍ତ ଏୟାରଲାଇନ୍ସର ସବୁ ଫ୍ଲାଇଟ୍‌ରେ ବିନା କୌଣସି ରୋକ୍‌ଟୋକ୍‌ରେ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ଦେଶରେ କରୋନା ସଂକ୍ରମଣ ପୂର୍ବ ତୁଳନାରେ କମିଛି। ଏଥିସହ ଲୋକମାନେ ମଧ୍ୟ ଏବେ ଟିକା ନେଇ ସାରିଲେଣି। ଏଣୁ ସଂକ୍ରମଣର ଆଉ ଡର ନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ବିମାନ ଚଳାଚଳ ମନ୍ତ୍ରାଳୟ ମୁତାବକ, ଏବେ ଏୟାରଲାଇନ୍ସ ଫ୍ଲାଇଟ୍‌ରେ ଯାତ୍ରୀଙ୍କୁ ଖାଇବା ପିଇବା ସମେତ ଖବର କାଗଜ ଭଳି ରିଡିଂ ମ୍ୟାଟେରିଆଲ ମଧ୍ୟ ଦିଆଯିବ।

କ’ଣ କହିଛି ମନ୍ତ୍ରାଳୟ:

ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ଡୋମେଷ୍ଟିକ୍‌ ରୁଟ୍‌ରେ ବିମାନ ଚଳାଚଳ କରୁଥିବା ଏୟାରଲାଇନ୍ସ ଏବେ ସମସ୍ତ ବିମାନ ଯାତ୍ରୀଙ୍କୁ ଖାଇବା ପିଇବା ସହ ପଢ଼ିବା ପାଇଁ ଖବର କାଗଜ ଯୋଗାଇ ଦେବେ। ଆଦେଶ ମୁତାବକ, ବିମାନ କର୍ତ୍ତୃପକ୍ଷ ଏବେ ଯାତ୍ରୀଙ୍କୁ ଖବର କାଗଜ, ମାଗାଜିନ୍‌, ବହି ଆଦି ରିଡିଂ ମ୍ୟାଟେରିଆଲ ବିମାନ ଭିତରେ ବିତରଣ କରିବେ।

କରୋନା ଯୋଗୁ ସଂକ୍ରମଣ ବ୍ୟାପିବା ଭୟରେ ବିମାନ କମ୍ପାନୀର ମାଲିକମାନେ ଗତ କିଛି ମାସ ହେଲା କମ୍‌ ସମୟ ଉଡ଼ାଣ ଭରୁଥିବା ଫ୍ଲାଇଟ୍‌ରେ ଖାଦ୍ୟ ପାନୀୟ ଯୋଗାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ଏବେ ସବୁ ବିମାନରେ ଖାଇବା ଯୋଗାଇବାକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.