କଂଗ୍ରେସକୁ ବଡ଼ ଝଟକା, ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ଦଳ ଛାଡିଲେ ଅନୀଲ ଆଣ୍ଟୋନୀ

ଗୁଜରାଟ ଦଙ୍ଗା ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ତଥା କଂଗ୍ରେସ ନେତା ଅନୀଲ ଆଣ୍ଟୋନୀ ଦଳରୁ ଇସ୍ତଫା ଦେଇଛନ୍ତି । ଅନୀଲ ବୁଧବାର ଦିନ ଟ୍ଵିଟ୍‌ କରି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଟ୍ଵିଟ୍‌ କରି ଲେଖିଛନ୍ତି, ‘ଗତକାଲିର ଘଟଣା ଉପରେ ବିଚାର କରି ମୁଁ କଂଗ୍ରେସରୁ ନିଜର ସମସ୍ତ ଦାୟିତ୍ୱ ଛାଡିବା ଉଚିତ ହେବ । ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।’ ସେ ଆହୁରି ମଧ୍ୟ କହିଛନ୍ତି, ଟୁଇଟ୍ ପ୍ରତ୍ୟାହାର କରିନେବା ନିମନ୍ତେ ମୋ ପାଖକୁ ସଂକୀର୍ଣ୍ଣ ମନଭାବ ଥିବା ବ୍ୟକ୍ତିଙ୍କ ଫୋନ୍ ଆସୁଛି। କିନ୍ତୁ, ମୁଁ ତାହା କରିବାକୁ ରାଜି ନ ଥିବାରୁ ଆଜି କଂଗ୍ରେସରୁ ଇସ୍ତଫା ଦେଉଛି। ତାଙ୍କର ମତ କେରଳ କଂଗ୍ରେସର ମତାମତକୁ ବିରୋଧ କରୁଛି। ଉକ୍ତ ବୃତ୍ତଚିତ୍ର ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରସାରଣ କରାଯାଉ ବୋଲି କେରଳ କଂଗ୍ରେସ ମତ ଦେଇଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ୨୦୦୨ ଗୁଜରାଟ ଦଙ୍ଗା ଉପରେ ନିର୍ମିତ ଏହି ଡକୁମେଣ୍ଟାରୀ ପ୍ରଦର୍ଶନକୁ ଭାରତରେ ନିଷିଦ୍ଧ କରାଯାଇଛି। ଜି-୨୦ର ଅଧ୍ୟକ୍ଷତା କରୁଥିବା ଭାରତକୁ ବଦନାମ କରିବାକୁ ଏହା ଏକ ପ୍ରୟାସ ବୋଲି କୁହାଯାଇଛି । ଏପରିକି ଏହାର ଲିଙ୍କ୍ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ୱିଟର ଓ ୟୁଟୁବୁକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ମଧ୍ୟରେ ଜେଏନ୍ୟୁ କ୍ୟାମ୍ପସରେ ଏହାର ସ୍କ୍ରିନିଂ ପାଇଁ ଛାତ୍ର ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାକୁ କଲେଜ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନ ଥିଲା। ଏପରିକି ସ୍କ୍ରିନିଂ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ଚେତାବନୀ ଦିଆଯାଇଥିଲା।

Leave A Reply

Your email address will not be published.