ୟୁପି ନିର୍ବାଚନ: ଅଟଳ ବିହାରୀ ବାଜପେୟୀଙ୍କ ନାମରେ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବେ ଅଖିଳେଶ ଯାଦବ

ଆଉ କିଛିଦିନ ପରେ ନିର୍ବାଚନ। ତେଣୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ଦିଆଯାଉଛି। ଉତ୍ତର ପ୍ରଦେଶରେ ନିର୍ବାଚନ ମଧ୍ୟ ଆରମ୍ଭ ହେବ। ଆଉ ଏବେ ଠାରୁ ଲୋକମାନଙ୍କୁ ଭଳି ଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ଚେଷ୍ଟାରେ ଲାଗିପଡିଛନ୍ତି ନେତା। ଏପରି ସ୍ଥଳରେ ସପା ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏମିତି ଏକ ପ୍ରତିଶ୍ରୁତି ଦେଇଛନ୍ତି ଯାହା ବିଜେପି ସମର୍ଥକଙ୍କ ମନ ଜିଣିନେବ ବୋଲି ଚର୍ଚ୍ଚା ହେଉଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୈତୃକ ଗାଁରେ ଅଟଳଙ୍କ ନାଁରେ ଏକ ବିଶ୍ୱବିଦ୍ୟାଳୟ ତିଆରି କରିବେ ବୋଲି ଅଖିଳେଶ ଯାଦବ କହିଛନ୍ତି। ତା ସହିତ ବଟ୍ଟେଶ୍ୱର ମେଳାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଦିଗରେ କାମ କରାଯିବ। ସେଠାରେ ଥିବା ଘାଟ ଓ ମନ୍ଦିରମାନଙ୍କ ବିକାଶ କରାଯିବ ବୋଲି ଅଖିଳେଶ ଯାଦବ ପ୍ରତିଶ୍ରୁତି ଦେଇଛନ୍ତି। ରବିବାର ଆଗ୍ରା ଜିଲ୍ଲା ବାହ ବିଧାନସଭା ଆସନ ପାଇଁ ପ୍ରଚାର ବେଳେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଅଖିଳେଶ।

ମନ୍ଦିର ଓ ମୂର୍ତ୍ତି କରି ବିଜେପି ସାଧାରଣ ଜନତାଙ୍କ ଭୋଟ ନେବାକୁ ଚେଷ୍ଟା କରୁଥିବା ବେଳେ ଏବେ ଅଖିଳେଶ ମଧ୍ୟ ସମାନ ବିଚାରଧାରାକୁ ଆପଣାଇବାକୁ ଚେଷ୍ଟା କରୁଥିବା କୁହାଯାଉଛି। ଅଖିଳେଶ ବାହ ନିର୍ବାଚନମଣ୍ଡଳୀର ଜନତାଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଆଇନ୍‌ ବ୍ୟବସ୍ଥାର ସୁଧାର, ବିଜୁଳି ଷ୍ଟେସନ ସ୍ଥାପନା କରିବା, ଓ କୃଷକଙ୍କ ପାଇଁ ସୁବିଧା ସୁଯୋଗ ତିଆରି କରିବେ। ତା ସହିତ ଘରୋଇ ବିଜୁଳି ୩୦୦ ୟୁନିଟ ପର୍ଯ୍ୟନ୍ତ ଫ୍ରି କରାଯିବ। କ୍ଷେତରେ ସିଞ୍ଚନ ପାଇଁ ବ୍ୟବହାର ହେଉଥିବା ବିଜୁଳି ବିଲ୍ କୃଷକଙ୍କ ଠାରୁ ନିଆଯିବ ନାହିଁ ବୋଲି ଅଖିଳେଶ ପ୍ରତିଶ୍ରୁତି ଦେଇଛନ୍ତି।