ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ପାଇଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବୁଧବାର ଲୋକ ନାୟକ ହସ୍ପିଟାଲରେ ପହଞ୍ଚିଥିଲେ । ସେ ଅତିଶୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କଠାରୁ ପଚାରି ବୁଝିଥିଲେ । ପାଞ୍ଚ ଦିନ ଧରି ଅନଶନରେ ବସିବା ପରେ ମଙ୍ଗଳବାର ଅତିଶୀ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ରାଜଧାନୀ ଦିଲ୍ଲୀରେ ଜଳର ଅଭାବ ଯୋଗୁ ଲୋକମାନେ ନାନା ସମସ୍ୟା ଭୋଗୁଛନ୍ତି । ହରିୟାଣାରୁ ଜଳ ମୁକ୍ତ ଦାବି କରି ଆମ୍ ଆଦମୀ ପାର୍ଟି ନେତା ତଥା ଜଳ ମନ୍ତ୍ରୀ ଅତିଶୀ ଜୁନ୍ ୨୧ରେ ଏଠାରେ ଧାରଣାରେ ବସିଥିଲେ ।

ପାଞ୍ଚ ଦିନ ପରେ ସୁଗାର ସ୍ତର କମିବା ପରେ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସୁଗାର ସ୍ତର ନିର୍ମାଲ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଆମ୍‌ ଆଦ୍‌ମୀ ପାର୍ଟି କହିଛି ଯେ ଅତିଶୀଙ୍କର ବ୍ଲଡ୍‌ ସୁଗାର ସ୍ତର ମଧ୍ୟରାତ୍ରିରେ ୪୩କୁ ହ୍ରାସ ପାଇଥିଲା ଏବଂ ପରେ ରାତି ୩ଟା ବେଳେ ୩୬କୁ ଖସି ଆସିଥିଲା । ତାଙ୍କର ସୁଗାର ସ୍ତର ଏଭଳି ଚିନ୍ତାଜନକ ଭାବେ ହ୍ରାସ ପାଇବା ପରେ ହସ୍ପିଟାଲର ଡାକ୍ତରମାନେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଅତିଶୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଅଖିଳେଶ ଯାଦବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପାଇଁ ବୁଧବାର ହସ୍ପିଟାଲରେ ପହଞ୍ଚିଥିଲେ । ତାଙ୍କ ସହ ଏଏପି ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ମଧ୍ୟ ଥିଲେ ।