ମହାକୁମ୍ଭ ସଙ୍ଗମ ତଟରେ ୧୧ ଥର ବୁଡ଼ ପକାଇଲେ ଅଖିଳେଶ ଯାଦବ

ଆଜି ଗଙ୍ଗାରେ ବୁଡ଼ ପକାଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଦ୍ୱିପ୍ରହରରେ ଅଖିଳେଶ ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚି ସଙ୍ଗମ ସ୍ଥଳରେ ଆସ୍ଥାର ବୁଡ଼ ପକାଇଛନ୍ତି । ସଙ୍ଗମରେ ବୁଡ଼ ପକାଇବା ପରେ ସେ ମହାକୁମ୍ଭ ମେଳା ଅଞ୍ଚଳରେ ସ୍ଥାପିତ ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଅଖିଳେଶ ଗଙ୍ଗାରେ ୧୧ ଥର ବୁଡ଼ ପକାଇଥିବା କହିଛନ୍ତି ।
ସକାଳ ପ୍ରାୟ ସାଢ଼େ ୧୧ଟାରେ ଅଖିଳେଶ ଯାଦବ ଲକ୍ଷ୍ନୌ ଏୟାରପୋର୍ଟରୁ ପ୍ରୟାଗରାଜ ପାଇଁ ଉଡ଼ାଣ ଭରିଥିଲେ । ପ୍ରୟାଗରାଜରେ ପହଞ୍ଚିବା ପରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଜୋରଦାର୍ ସ୍ୱାଗତ କରିଥିଲେ । ଏୟାରପୋର୍ଟରୁ ବାହାରିବା ପରେ ସେ ଦଳୀୟ ନେତାମାନଙ୍କ ସହ ମେଳା ଅଞ୍ଚଳକୁ ଯାଇଥିଲେ । ସେଠାରେ ସେ ସଙ୍ଗମ ତଟରେ ବୁଡ଼ ପକାଇଥିଲେ ।
ଏହା ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ମହାକୁମ୍ଭରେ ବୁଡ଼ ପକାଇ ଗଙ୍ଗା ପୂଜନ କରିଥିଲେ ।
କହି ରଖୁଛୁ, ଅଖିଳେଶ ଯାଦବ ମିଲକିପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଫେବୃୟାରୀ ୩ରେ ଜନସଭା ଏବଂ ରୋଡ୍ ଶୋ’ କରିବେ । ଏହି ସମୟରେ ତାଙ୍କ ସହ ରହିବେ ମୈନପୁରୀ ସାଂସଦ ଡିମ୍ପଲ ଯାଦବ ।
ଗତକାଲି ବଲିଉଡ୍ କୋରିଓଗ୍ରାଫର ରେମୋ ଡି’ସୁଜା ମଧ୍ୟ ମହାକୁମ୍ଭରେ ପହଞ୍ଚି ଆସ୍ଥାର ବୁଡ଼ ପକାଇଥିଲେ । ସେ ନିଜ ବେଶ ବଦଳାଇ ମହାକୁମ୍ଭରେ ପହଞ୍ଚିଥିଲେ । କଳା କପଡ଼ାରେ ମୁହଁକୁ ଢାଙ୍କି ରଖିଥିଲେ । ସେ ଇନଷ୍ଟାଗ୍ରାମରେ ନିଜର ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ କଳା ପୋଷାକ ପିନ୍ଧି ହାତରେ ବ୍ୟାଗ୍ ଧରି ଚାଲୁଥିବାର ଦେଖାଯାଉଛନ୍ତି । ସାଥୀରେ ଅଛନ୍ତି ପତ୍ନୀ ଲିଜେଲ । ରେମୋ ସିଙ୍ଗମରେ ବୁଡ଼ ପକାଇବା ସହ ଧ୍ୟାନରେ ଲୀନ ଥିବା ଫଟୋରେ ଦେଖାଯାଉଛି । ସେ ଡଙ୍ଗାରେ ବସି ବୁଲିଥିଲେ । ପକ୍ଷୀମାନଙ୍କୁ ଦାନା ଖୁଆଇଥିଲେ । ପତ୍ନୀଙ୍କ ସହ ମହାକୁମ୍ଭରେ ପହଞ୍ଚିଥିବା ରେମୋ ସ୍ୱାମୀ କୈଳାଶାନନ୍ଦ ଗିରି ମହାରାଜଙ୍କ ପ୍ରବଚନ ଶୁଣି ଆଶୀର୍ବାଦ ନେଇଥିଲେ ।
ଆହୁରି ପଢନ୍ତୁ: ବେଶ ବଦଳାଇ ମହାକୁମ୍ଭରେ ପହଞ୍ଚିଲେ କୋରିଓଗ୍ରାଫର୍ ରେମୋ ଡି’ସୁଜା, ସଙ୍ଗମରେ ପକାଇଲେ ବୁଡ଼