ଆମେରିକାର ଡ୍ରୋନ ଆକ୍ରମଣରେ ଅଲକାଏଦା ମୁଖ୍ୟ ଆୟମାନ-ଅଲ-ଜୱାହିରି ନିହତ

ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ମୁଖ୍ୟ ଆୟମାନ ଅଲ ଜୱାହିରିଙ୍କୁ ନିହତ କରିଛି ଆମେରିକା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦାବି କରିଛନ୍ତି ଯେ, ଜୁଲାଇ ୩୧ ରେ କାବୁଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଜାୱାହିରଙ୍କର ମୃତ୍ୟୁ ହୋଇଛି ।ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ସିଏନ୍ଏନ୍ ଅନୁଯାୟୀ ଜୱାହିରି ତାଙ୍କ ପରିବାରକୁ ଭେଟିବା ପାଇଁ କାବୁଲରେ ଆଶ୍ରୟ ନେଇଥିଲେ । ଜୋ ବାଇଡେନ୍ କହିଛନ୍ତି ଯେ, ଅଲ କାଏଦା ମୁଖ୍ୟଙ୍କୁ ହତ୍ୟା କରିବା ପାଇଁ ଦୁଇଟି ହେଲଫାୟାର ମିସାଇଲ ବ୍ୟବହାର କରାଯାଇଥିଲା । ଜୁଲାଇ ୩୧ ରେ ରାତି ୯:୪୮ ରେ ଡ୍ରୋନ୍ ଷ୍ଟ୍ରାଇକ୍ କରାଯାଇଥିଲା । ଅନ୍ୟପଟେ ଆୟମାନକୁ ଧରାଇଦେଲେ ବା ତା’ ବିଷୟରେ ସୂଚନା ଦେଲେ ୨୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା ।

ବିଶ୍ୱରେ ଆତଙ୍କ ଖେଳାଇ ଆସିଥିବା ଅଲ କାଏଦା ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ଓସାମା ବିନ ଲାଡେନ ୨୦୧୧ରେ ଆମେରିକାର ଆକ୍ରମଣରେ ନିହତ ହେବା ପରେ ଅଲକାଏଦା ସଂଗଠନ ପାଇଁ ଏହା ଏକ ଝଟକା ଥିଲା । ସେହି ଦିନଠାରୁ ଆୟମାନ ଅଲ ଜୱାହିରି ଅଲକାଏଦା ସଂଗଠନକୁ ମଜବୁତ କରିବାରେ ଅଣ୍ଟା ଭିଡିଥିଲା ।

ସେ ଆଫଗାନିସ୍ତାନରେ ଥିବା ତଥା ସେଠାରେ ରହି ଅଲକାଏଦା ସଂଗଠନକୁ ମଜବୁତ କରୁଥିବା ଜଣାପଡିବା ପରେ ଆମେରିକା ପକ୍ଷରୁ ଅଲକାଏଦାର ଆତଙ୍କବାଦୀମାନଙ୍କୁ ଦମନ ପାଇଁ ରବିବାରଠାରୁ ଆଫଗାନିସ୍ତାନର ରାଜଧାନୀ କାବୁଲର ସେରପୁର ଅଞ୍ଚଳରେ ଡ୍ରୋନ ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଅଲ ଜୱାହିରି ନିହତ ହୋଇଥିବା କୁହାଯାଇଛି ।

ତାଲିବାନ ମୁଖପାତ୍ର ଜବୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, ଜୁଲାଇ ୩୧ ରେ କାବୁଲ ସହରର ଶେରପୁର ଅଞ୍ଚଳରେ ଥିବା ଏକ ଆବାସିକ ଘରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଏହି ଘଟଣା ପ୍ରଥମେ ଅସ୍ପଷ୍ଟ ଥିଲା ବୋଲି ସେ କହିଛନ୍ତି, କିନ୍ତୁ ଇସଲାମିକ୍ ଏମିରେଟ୍ ର ସୁରକ୍ଷା ଏବଂ ଗୁପ୍ତଚର ସେବା ଏହି ଘଟଣାର ଅନୁସନ୍ଧାନ କରିଥିଲେ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଆକ୍ରମଣ ଆମେରିକାର ଡ୍ରୋନ୍ ଦ୍ୱାରା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.