ଗୁଜରାଟ : ଲୋକ ପାଇଲଟ୍‌ଙ୍କ ତତ୍ପରତା ଯୋଗୁଁ ବର୍ତ୍ତିଲା ରେଳ ଟ୍ରାକରେ ବୁଲୁଥିବା ୮ଟି ସିଂହଙ୍କ ଜୀବନ

ଗୁଜରାଟର ଭାବନଗର ଜିଲ୍ଲାରେ ଟ୍ରେନ ଚାଳକଙ୍କ ତତ୍ପରତା ଯୋଗୁଁ ଆଠଟି ସିଂହ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଗୁଜରାଟର ଭବନଗରରେ ଠିକ ସମୟରେ ବ୍ରେକ୍‌ ଲଗାଇ ଏକ ମାଲବାହୀ ଏବଂ ଏକ ଯାତ୍ରୀବାହୀ ଟ୍ରେନର ଲୋକ ପାଇଲଟ୍‌ ରେଳ ଟ୍ରାକରେ ବୁଲୁଥିବା ଆଠଟି ସିଂହଙ୍କ ଜୀବନ ରକ୍ଷା କରିଛନ୍ତି । ରବିବାର ଦିନ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଗୁରୁବାର ହାପାରୁ ପିପାଭାବ୍‌ ଯାଉଥିବା ଏକ ମାଲ୍‌ବାହୀ ଟ୍ରେନର ଲୋକ ପାଇଲଟ୍‌, ରାଜକୁଲା ସହର ନିକଟରେ ଏକ ୫ ଜଣିଆ ସିଂହ ପଲ ରେଳ ଟ୍ରାକ୍‌ ଅତିକ୍ରମ କରୁଥିବା ଦେଖିଥିଲେ । ଫଳରେ ସେମାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ଜରୁରୀକାଳୀନ ବ୍ରେକ୍‌ ଲଗାଇଥିଲେ । ସିଂହମାନେ ଟ୍ରାକ୍‌ରୁ ବାହାରି ଯିବା ପରେ ଟ୍ରେନଟି ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରାରମ୍ଭ କରିଥିଲା । ସେହିଭଳି ଶୁକ୍ରବାର ଛଲାଲା-ଧାରି ସେକ୍ସନ ଦେଇ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଟ୍ରାକ୍‌ ଉପରେ ୨ ଟି ସିଂହକୁ ଦେଖି ତୁରନ୍ତ ଜରୁରୀକାଳୀନ ବ୍ରେକ୍‌ ଲଗାଇ ଟ୍ରେନଟିକୁ ଅଟକାଇଥିଲା ।

ସେପଟେ, ଟ୍ରେନ ଚଳାଚଳ କରୁଥିବା ଲୋକ ପାଇଲଟ୍‌ମାନେ ନିର୍ଦ୍ଦିଷ୍ଟ ବେଗ ଅନୁସରଣ କରୁଥିବାବେଳେ ସଚେତନତା ସହ କାର୍ଯ୍ୟ କରୁଥିବା ଦେଖି ବନ ବିଭାଗ ସେମାନଙ୍କ ପ୍ରଶଂସା କରିଛି । ପଶ୍ଚିମ ରେଳବାଇର ଭବନଗର ଡିଭିଜନର ଲୋକୋ ପାଇଲଟଙ୍କ ସଜାଗତା ଏବଂ ଜଙ୍ଗଲ ବିଭାଗର ଟ୍ରାକରଙ୍କ ସାହାଯ୍ୟରେ ଚଳିତ ବର୍ଷରେ ଏପର୍ଯ୍ୟନ୍ତ ୧୦୪ଟି ସିଂହଙ୍କୁ ଉଦ୍ଧାର କରାଯାଇଛି ବୋଲି ଭବନଗର, ବରିଷ୍ଠ ବିଭାଗୀୟ ବାଣିଜ୍ୟ ପରିଚାଳକ ମାଶୁକ୍‌ ଅହମ୍ମଦ କହିଛନ୍ତି ।