ଜମ୍ମୁ କଶ୍ମୀର ଜେଲ୍ ଉପରେ ହୋଇପାରେ ଆକ୍ରମଣ, ବଢିଲା ସୁରକ୍ଷା ବ୍ୟବସ୍ଥା

ଜମ୍ମୁ ଜେଲରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ ଏବଂ ଜମ୍ମୁର କୋଟ ବଲୱାଲ ଜେଲ୍ ଭଳି ହାଇ ସିକ୍ୟୁରିଟି ସୁବିଧା ଥିବା ଜେଲକୁ ଟାର୍ଗେଟ କରାଯାଇପାରେ । ଏନେଇ ସୂଚନା ଦେଇଛି ଗୁଇନ୍ଦା ବିଭାଗ ।
ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ ଏବଂ ଜମ୍ମୁର କୋଟ ବଲୱାଲ ଜେଲ୍ ରେ ବର୍ତ୍ତମାନ ଅନେକ ହାଇ ପ୍ରୋଫାଇଲ୍ ଆତଙ୍କବାଦୀ ଏବଂ ସ୍ଲିପର ସେଲ୍ ସଦସ୍ୟ ଅଛନ୍ତି । ଏମାନେ ଲଜିଷ୍ଟିକ୍ ସାହାଯ୍ୟ, ଆଶ୍ରୟ ଏବଂ ଆକ୍ରମଣରେ ସିଧାସଳଖ ସମ୍ପୃକ୍ତ ନ ଥିଲେ ମଧ୍ୟ ଆତଙ୍କବାଦୀଙ୍କୁ ସହାୟତା ଯୋଗାଇବା ପାଇଁ ଜଣାଶୁଣା । ଏହି ଜେଲ୍ ଗୁଡିକୁ ଆତଙ୍କବାଦୀ ଟାର୍ଗେଟ କରି ପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି । ସୂଚନା ମିଳିବା ପରେ ଉଚ୍ଚ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି ସିଆଇଏସଏଫ୍ ଡିଜି । ସମୀକ୍ଷା ପରେ ଜେଲ ଗୁଡିକର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
୨୦୨୩ରେ ସିଆଇଏସଏଫକୁ ଜମ୍ମୁ କଶ୍ମୀର ଜେଲର ସୁରକ୍ଷା ଦାୟିତ୍ବ ଦିଆଯାଇଥିଲା । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏନଆଇଏ ଜମ୍ମୁ ଜେଲରେ ବନ୍ଦ ଥିବା ଦୁଇ ଓଭର ଗ୍ରାଉଣ୍ଡ ୱାର୍କର ନିସାର ଏବଂ ମୁସ୍ତାକକୁ ପଚରାଉଚରା କରିଥିଲା । ଦୁହେଁ ଏପ୍ରିଲ ୨୦୨୩ରୁ ଜମ୍ମୁ ଜେଲରେ ବନ୍ଦୀ ରହିଛନ୍ତି । ଏମାନେ ୨୦୨୩, ଜାନୁଆରୀ ୧ ରଜୌରୀରେ ହୋଇଥିବା ଆତଙ୍କୀ ଆକ୍ରମଣର ସଂପୃକ୍ତ ହୋଇ ଗିରଫ ହୋଇଥିଲେ । ଏହି ଘଟଣାରେ ଦୁଇ ଜଣ ପିଲା ସହିତ ୭ ଜଣ ନାଗରିକଙ୍କ ପ୍ରାଣ ଯାଇଥିଲା ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ନେଉଛି । ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ଏବେ ପାକିସ୍ତାନ ହଇରାଣ ହେଉଛି । ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ଜଳ ଷ୍ଟ୍ରାଇକ ସହ ସିନ୍ଧୁ ନଦୀ ଚୁକ୍ତି ବାତିଲ ଏବଂ ପାକିସ୍ତାନୀଙ୍କ ଭିସା ବାତିଲ ଭଳି ବଡ ପଦକ୍ଷେପ ନେଇଛି ଭାରତ । ପାକିସ୍ତାନ ପାଇଁ ନିଜର ଏୟାରସ୍ପେସ୍ ବନ୍ଦ କରିବା ସହ ପାକିସ୍ତାନର କଳାକାର, ଖେଳାଳୀ, ନେତା ଏବଂ ପ୍ରଧାନମନ୍ତ୍ରୀଙ୍କୁ ୟୁଟ୍ୟୁବ ଏବଂ ସୋସିଆଲ ମିଡିଆ ବନ୍ଦ କରିବା ପରେ ଏବେ ଆମଦାନୀ-ରପ୍ତାନୀ ବନ୍ଦ କରିଛି ।
Also Read : ଆତଙ୍କବାଦୀଙ୍କୁ ଖାଦ୍ୟ ଓ ଆଶ୍ରୟ ଦେଇଥିବା ବ୍ୟକ୍ତି ନଦୀକୁ ଡେଇଁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମୃତ, ପୋଲିସ ଜାରି…