Below header

ରାଜସ୍ଥାନ: HCL ଖଣିରେ ଲିଫ୍ଟ ଦୁର୍ଘଟଣା, ଫସି ରହିଥିବା ସମସ୍ତ ୧୪ ଜଣ ଅଧିକାରୀ ସୁରକ୍ଷିତ ଉଦ୍ଧାର; ୩ ଗୁରୁତର

ରାଜସ୍ଥାନର ଝୁନ୍‌ଝୁନୁରେ ମଙ୍ଗଳବାର ରାତିରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ଖେତଡ଼ି ଅଞ୍ଚଳରେ ଥିବା ହିନ୍ଦୁସ୍ତାନ କପର୍‌ ଲିମିଟେଡ୍‌ (HCL)ର କୋଲିହାନ ଖଣିରେ ହଠାତ୍‌ ଲିଫ୍ଟଟି ଭାଙ୍ଗି ପଡ଼ିଥିଲା । ଫଳରେ କୋଲକାତାରୁ ଆସିଥିବା ଭିଜିଲାନ୍ସ ଟିମ୍‌ ସମେତ ୧୪ ଜଣ ଅଧିକାରୀ ଏହା ଭିତରେ ଫସିଯାଇଥିଲେ ।

ରାଜସ୍ଥାନର ଝୁନ୍‌ଝୁନୁରେ ମଙ୍ଗଳବାର ରାତିରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ଖେତଡ଼ି ଅଞ୍ଚଳରେ ଥିବା ହିନ୍ଦୁସ୍ତାନ କପର୍‌ ଲିମିଟେଡ୍‌ (HCL)ର କୋଲିହାନ ଖଣିରେ ହଠାତ୍‌ ଲିଫ୍ଟଟି ଭାଙ୍ଗି ପଡ଼ିଥିଲା । ଫଳରେ କୋଲକାତାରୁ ଆସିଥିବା ଭିଜିଲାନ୍ସ ଟିମ୍‌ ସମେତ ୧୪ ଜଣ ଅଧିକାରୀ ଏହା ଭିତରେ ଫସିଯାଇଥିଲେ । ବର୍ତ୍ତମାନ ଆଶ୍ୱସ୍ତିକର ଖବର ରହିଛି ଯେ ଭିତରେ ଫସି ରହିଥିବା ସମସ୍ତ ଅଧିକାରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ନିଆଯାଇଛି ।

ସୂଚନା ମୁତାବକ, ଲିଫ୍ଟ ଭାଙ୍ଗିଯିବାରୁ ଅଧିକାରୀମାନେ ୧୮୦୦ ଫୁଟ୍‌ରୁ ଅଧିକ ଗଭୀରତାରେ ଫସି ଯାଇଥିଲେ । ଝୁନ୍‌ଝୁନୁ ସରକାରୀ ଡାକ୍ତରଖାନାର ଡାକ୍ତର ପ୍ରବୀଣ ଶର୍ମା କହିଛନ୍ତି, ଖଣିରେ ଫସି ରହିଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜୟପୁର ପଠାଯାଇଛି । ଉଦ୍ଧାର ଲୋକଙ୍କ ମଧ୍ୟରୁ କାହାର ହାତ ଭାଙ୍ଗିଯାଇଛି ତ କାହାର ଗୋଡ଼ରେ ଫ୍ରାକ୍ଚର ହୋଇଛି । କିନ୍ତୁ ସମସ୍ତେ ସୁରକ୍ଷିତ ଅଛନ୍ତି । ସିଡ଼ି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରାଯାଇଛି ।

ଦୁର୍ଘଟଣା ବିଷୟରେ ଜାଣିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ‘X’ରେ ଲେଖିଥିଲେ ଯେ ‘ଝୁନ୍‌ଝୁନୁର ଖେତଡ଼ିରେ ହିନ୍ଦୁସ୍ତାନ କପର୍‌ ଲିମିଟେଡର କୋଲିହାନ ଖଣିରେ ଲିଫ୍ଟ ଦଉଡି ଛିଣ୍ଡି ଘଟିଥିବା ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଛି । ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଏବଂ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାକୁ କୁହାଯାଇଛି’ ।

ମିଳିଥିବା ସୂଚନା ମୁତାବକ, କମ୍ପାନୀର କୋଲିହାନ ଖଣିରେ ହଠାତ୍‌ ଲିଫ୍ଟର ତାର ଛିଣ୍ଡି ଯାଇଥିଲା, ଯାହାଫଳରେ ଲିଫ୍ଟଟି ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣା ସମୟରେ ଲିଫ୍ଟ ଭିତରେ କୋଲକାତାରୁ ଆସିଥିବା ଭିଜିଲାନ୍ସ ଟିମ୍‌ ସମେତ ୧୪ ଜଣ ବରିଷ୍ଠ ଅଧିକାରୀ ଥିଲେ । ତୁରନ୍ତ ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳକୁ ଡକାଯାଇଥିଲା । ଏହାପରେ ନିକଟସ୍ଥ ଡାକ୍ତରଖାନାରୁ ସମସ୍ତ ଆମ୍ବୁଲାନ୍ସକୁ ଡକାଯାଇଥିଲା । ଏଥି ସହିତ ଡାକ୍ତରୀ ଟିମ୍‌କୁ ମଧ୍ୟ ଜରୁରୀକାଳୀନ ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.