‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ର ସମସ୍ତ ବିବାଦୀୟ ଏପିସୋଡ୍ ହେବ ଡିଲିଟ୍ ! ଦର୍ଶକଙ୍କ ବୟାନ ହେବ ରେକର୍ଡ

ୟୁଟ୍ୟୁବ୍ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ ସହ ଜଡ଼ିତ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ମହାରାଷ୍ଟ୍ର ସାଇବର ସେଲ୍ ଏହି ମାମଲାର ତଦନ୍ତ କରୁଛି । ନିକଟରେ ଶୋ’ର ଏକ ଏପିସୋଡରେ ୟୁଟ୍ୟୁବର ରଣବୀର ଆଲାହାବାଦିଆଙ୍କ ଅଶ୍ଳୀଳ ମନ୍ତବ୍ୟ ପରେ ବିଭିନ୍ନ ରାଜ୍ୟରେ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ ସହ ଜଡ଼ିତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ସାଇବର ସେଲ୍ କହିଛି ଯେ ଆମେ ଶୋ’ର ସମସ୍ତ ୧୮ ଏପିସୋଡ୍ ତଦନ୍ତ କରୁଛୁ । ଏହି ଏପିସୋଡଗୁଡ଼ିକରେ ଯେଉଁମାନେ ବିଚାରପତି ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ଅଶାଳୀନ ଭାଷା ପ୍ରୟୋଗ କରିଥିଲେ, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହିତ ଶୋ’ରେ ଦର୍ଶକ ଭାବରେ ଆସିଥିବା ଲୋକଙ୍କ ବୟାନକୁ ସାକ୍ଷୀ ଭାବରେ ରେକର୍ଡ କରାଯିବ ।

ସାଇବର ସେଲ୍ ୟୁଟ୍ୟୁବକୁ ଏକ ଚିଠି ଲେଖି କହିଛି ଯେ ଏହି ଶୋ’ର ସମସ୍ତ ଏପିସୋଡ୍‌, ଯେଉଁଥିରେ ଅଶାଳୀନ ଭାଷା ବ୍ୟବହାର କରାଯାଇଛି, ତାହାକୁ ଡିଲିଟ୍ କରିଦିଆଯାଉ । ମହାରାଷ୍ଟ୍ର ସାଇବର ବିଭାଗ ଏହି ଶୋ’ ବିରୋଧରେ ଏକ ମାମଲା ପଞ୍ଜିକୃତ କରିଛି । ପୋଲିସ ଅଧିକାରୀ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଶୋ’ରେ ଅଂଶଗ୍ରହଣ କରିଥିବା ପ୍ରାୟ ୩୦ ଜଣ ଅତିଥିଙ୍କୁ ସମନ ପଠାଯାଇଛି ।

ରଣବୀର ଆଲାହାବାଦିଆଙ୍କ ବିବାଦୀୟ ମନ୍ତବ୍ୟ ପରେ ସାଇବର ବିଭାଗ ଶୋ’ର ସମସ୍ତ ୧୮ଟି ଏପିସୋଡ୍ ହଟାଇବାକୁ କହିଛି ।

ଏହା ମଧ୍ୟ ପଢ଼ନ୍ତୁ: ରଣବୀର ଆଲାହାବାଦିଆଙ୍କ ବିବାଦୀୟ ଭିଡିଓ Youtubeରୁ ହଟିଲା, ୟୁଟ୍ୟୁବରଙ୍କୁ ସମନ ପଠାଇପାରେ ଆଇଟି ସଂସଦୀୟ କମିଟି