ଜେଲ୍ ଗଲେ ସୁପରଷ୍ଟାର୍ ଅଲୁ ଅର୍ଜୁନ, ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ
ଜେଲ୍ ଗଲେ ସୁପରଷ୍ଟାର ଅଲୁ ଅର୍ଜୁନ । ଅଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ । ହାଇଦ୍ରାବାଦ ଦଳାଚକଟା ମାମଲାରେ ଅଲୁ ଅର୍ଜୁନଙ୍କୁ ଜେଲ୍ ପଠାଯାଇଛି । ଆଜି ଜରୁରୀ ଶୁଣାଣି ପାଇଁ କୋର୍ଟ ଯାଇଛନ୍ତି ଅଭିନେତା ।
ହାଇଦ୍ରାବାଦ ପୋଲିସ ଆଜି ଅଲୁ ଅର୍ଜୁନଙ୍କୁ ବଞ୍ଜାରା ହିଲସ୍ଥିତ ତାଙ୍କ ଘରୁ ଗିରଫ କରିଥିଲା । ତାଙ୍କୁ ଚିକ୍କଡପଲୀ ଥାନାରେ ରଖି ପଚରାଉଚରା କରାଯାଉଛି । ପୂର୍ବରୁ ତାଙ୍କ ବିରୋଧରେ ବିଏନଏସର ଧାରା ୧୦୫ ଓ ୧୧୮ରେ ପୋଲିସ ମାମଲା ରୁଜୁ କରିଥିଲା ।
ବିଏନଏସର ଧାରା ୧୦୫ (ହତ୍ୟା ବରାବର ନୁହେଁ) ସେତେବେଳେ ଲାଗୁ ହୁଏ, ଯେତେବେଳେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ମୃତ୍ୟୁର କାରଣ ହୋଇଥାଏ ଏବଂ ସେହି ବ୍ୟକ୍ତିଙ୍କୁ ମାରିବାର ପୂର୍ବରୁ ତାଙ୍କର କୌଣସି ଉଦ୍ଦେଶ୍ୟ ନ ଥାଏ । ଏହି ଧାରା ଅଧୀନରେ ଅତି କମରେ ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଆଜୀବନ କାରାଦଣ୍ଡ ହୋଇପାରେ ।
ପୋଲିସର କହିବା ହେଲା, ଧାରା ୧୧୮ (୧) ଅନୁଯାୟୀ ସୁରକ୍ଷା ନିୟମ ପାଳନ କରିବା ଅଲୁ ଅର୍ଜୁନଙ୍କର ଦାୟିତ୍ୱ ଥିଲା । କିନ୍ତୁ ନିୟମ ପାଳନ ନ କରିବାରୁ ତାଙ୍କ ଉପରେ ଏହି ଧାରା ଲାଗୁ କରାଯାଇଛି ।
ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲରେ ‘ପୁଷ୍ପା ୨’ର ପ୍ରିମିୟର ଶୋ’ ବେଳେ ଦଳାଚକଟା ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଦର୍ଶକ ଆହତ ହୋଇଥିଲେ । ତେବେ ଅଲୁ ଅର୍ଜୁନ ପୂର୍ବ ସୂଚନା ନ ଦେଇ ହଲରେ ପହଞ୍ଚିଯିବାରୁ ଏହି ଦଳାଚକଟା ହୋଇଥିବା ହାଇଦ୍ରାବାଦ ପୋଲିସ ପକ୍ଷରୁ କୁହାଯାଇଛି ।
ଡିସେମ୍ବର ୪ରେ ଫିଲ୍ମର ସ୍କ୍ରିନିଂ ବେଳେ ଏଠାରେ ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ଅଲୁ ଅର୍ଜୁନ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।
ପୋଲିସ ମୁତାବକ, ‘ପୁଷ୍ପା ୨’ର ପେଡ୍ ପ୍ରିଭ୍ୟୁ ସମୟରେ ଅଲୁ ଅର୍ଜୁନ ଥିଏଟରରେ ଅଚାନକ୍ ପହଞ୍ଚିଥିଲେ । ଏଠାରେ ଅଭିନେତାଙ୍କୁ ଦେଖି ଫ୍ୟାନମାନେ ବେକାବୁ ହୋଇପଡ଼ିବାରୁ ଘଟଣାସ୍ଥଳରେ ଦଳାଚକଟା ହୋଇଥିଲା । ଫିଲ୍ମ ଦେଖିବାକୁ ଆସିଥିବା ଜଣେ ମହିଳାଙ୍କର ଏଥିରେ ମୃତ୍ୟୁ ଘଟିଥିଲା । ମହିଳା ଜଣକ ନିଜ ପିଲା ଏବଂ ସ୍ୱାମୀଙ୍କ ସହ ଫିଲ୍ମ ଦେଖିବାକୁ ଆସିଥିଲେ ।
ଏବେ ଅଲୁ ଅର୍ଜୁନ ଜେଲ୍ ଯିବା ପରେ ଜେଲ୍ରେ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି ।