ଅଲୁ ଅର୍ଜୁନ ହେଲେ ‘କଏଦୀ ନମ୍ବର ୭୬୯୭’, ଜେଲ୍ କୋଠରିରେ ରାତି ସାରା ତଳେ ଶୋଇଲେ, କିଛି ବି ଖାଇଲେନି
ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଗତକାଲି ଗିରଫ ହୋଇ ଜେଲ୍ ଯାଇଥିଲେ ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ । ତେଲଙ୍ଗାନା ହାଇକୋର୍ଟରୁ ଜାମିନ ପାଇବା ପରେ ଆଜି ସେ ଜେଲରୁ ବାହାରିଛନ୍ତି । ଗତକାଲି ଅପରାହ୍ନରେ ପୋଲିସ ହାଇଦ୍ରାବାଦସ୍ଥିତ ଘରୁ ତାଙ୍କୁ ଗିରଫ କରିଥିଲା । ଡାକ୍ତରୀ ପରୀକ୍ଷା ପରେ ପୋଲିସ ତାଙ୍କୁ ନିମ୍ନ ଅଦାଲତରେ ହାଜର କରିଥିଲା ।
ଏଠାରୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବା ପରେ ତାଙ୍କୁ ଚଞ୍ଚଲଗୁଡା କେନ୍ଦ୍ରୀୟ ଜେଲକୁ ନିଆଯାଇଥିଲା । ଅଲୁ ଅର୍ଜୁନ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । କୋର୍ଟ ତାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।
ତେବେ ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇବା ସତ୍ତ୍ୱେ କାଗଜପତ୍ରରେ ବିଳମ୍ବ ହେତୁ ଅଲୁ ଅର୍ଜୁନଙ୍କୁ ଜେଲରେ ହିଁ ରାତି କାଟିବାକୁ ପଡ଼ିଥିଲା । ଚଞ୍ଚଲଗୁଡ଼ା ଜେଲ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଗୋଟିଏ ରାତିରେ ଅଭିନେତାଙ୍କ ପରିଚୟ ଥିଲା ‘କଏଦୀ ନମ୍ବର ୭୬୯୭’ ।
ସେ ପୂରା ରାତି ଜେଲରେ ଭୋକରେ ରହିଥିଲେ ଏବଂ ଚଟାଣରେ ଶୋଇଥିଲେ । ଜଣେ ବିଚାରାଧୀନ କଏଦୀ ଭାବରେ ପୋଲିସ ତାଙ୍କୁ ମଞ୍ଜିରା ବାରାକର କ୍ଲାସ-୧ କୋଠରିରେ ରଖିଥିଲା । ଅଲୁ ଅର୍ଜୁନଙ୍କ ସମସ୍ତ ସୂଚନା ଜେଲ୍ ରେକର୍ଡରେ ଦାଖଲ କରାଯାଇଥିଲା ।
ଆଜି ସକାଳେ ଜେଲରୁ ବାହାରିବା ପରେ ଅଲୁ ଅର୍ଜୁନ ଗଣମାଧ୍ୟମ ଆଗରେ ନିଜର ବୟାନ ରଖିଥିଲେ । ସେ କହିଥିଲେ ଯେ ‘ଚିନ୍ତା କରିବାର କିଛି ନାହିଁ । ମୁଁ ଠିକ୍ ଅଛି । ଯାହା କିଛି ବି ଘଟିଲା, ସେଥିପାଇଁ ମୁଁ ଦୁଃଖିତ । ମୁଁ ଆଇନରେ ବିଶ୍ୱାସ ରଖେ । ଏହି ଦୁର୍ଘଟଣା ଅଜାଣତରେ ଘଟିଛି । ମୁଁ ମୃତ ମହିଳାଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛି’ ।
କହି ରଖୁଛୁ ଯେ ଡିସେମ୍ବର ୪ରେ ଫିଲ୍ମର ସ୍କ୍ରିନିଂ ବେଳେ ଏଠାରେ ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ଅଲୁ ଅର୍ଜୁନ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।
‘ପୁଷ୍ପା ୨’ର ପେଡ୍ ପ୍ରିଭ୍ୟୁ ସମୟରେ ଅଲୁ ଅର୍ଜୁନ ଥିଏଟରରେ ଅଚାନକ୍ ପହଞ୍ଚିଥିଲେ । ଏଠାରେ ଅଭିନେତାଙ୍କୁ ଦେଖି ଫ୍ୟାନମାନେ ବେକାବୁ ହୋଇପଡ଼ିବାରୁ ଘଟଣାସ୍ଥଳରେ ଦଳାଚକଟା ହୋଇଥିଲା । ଫିଲ୍ମ ଦେଖିବାକୁ ଆସିଥିବା ଜଣେ ମହିଳାଙ୍କର ଏଥିରେ ମୃତ୍ୟୁ ଘଟିଥିଲା । ମହିଳା ଜଣକ ନିଜ ପିଲା ଏବଂ ସ୍ୱାମୀଙ୍କ ସହ ଫିଲ୍ମ ଦେଖିବାକୁ ଆସିଥିଲେ ।