ଅଳ୍ପକେ ବର୍ତ୍ତିଲେ ଅମରନାଥ ଯାତ୍ରୀ; ବ୍ରେକ ଫେଲ ହେବାରୁ ବସରୁ ଡେଇଁଲେ ତୀର୍ଥଯାତ୍ରୀ, ପୋଲିସ ଏବଂ ଯବାନ ବଞ୍ଚାଇଲେ ଜୀବନ
ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ରାମବନ ଜିଲ୍ଲାରେ ଭାରତୀୟ ସେନା ଏବଂ ପୋଲିସ ଏକ ବଡ ଦୁର୍ଘଟଣାକୁ ଟାଳି ଦେଇଛନ୍ତି । ଅମରନାଥ ଯାତ୍ରାରୁ ଫେରୁଥିବା ବସ୍ ବ୍ରେକ ଫେଲ୍ ହେବା ଯୋଗୁଁ ଯାତ୍ରୀ ଡରି ବସରୁ ଡେଇଁ ପଡିଥିଲେ । ବସ୍ ଖାଇରେ ଖସିପଡିବା ପୂର୍ବରୁ ଭାରତୀୟ ସେନା ଜମ୍ମୁ କଶ୍ମୀର ପୋଲିସ ସହିତ ମିଶି ଗାଡି ତଳେ ପଥର ଥୋଇ ରୋକିଥିଲେ । ଫଳରେ ଜାତୀୟ ରାଜପଥ-୪୪ରେ ବଡ ଦୁର୍ଘଟଣାରୁ ବଞ୍ଚିଥିଲେ ଯାତ୍ରୀ ।
ଯାତ୍ରୀମାନେ ଭୟରେ ବସ୍ ଡେଇଁବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଅନେକ ତୀର୍ଥଯାତ୍ରୀ ଚଳନ୍ତା ବସରୁ ଡେଉଁଥିବାର ଦେଖିବାକୁ ମିଳିଛନ୍ତି । ସୁରକ୍ଷା ବଳ ଗାଡିକୁ ଖାଇରେ ଖସିବାରୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ତା’ ପଛରେ ଦୌଡୁଥିଲେ । ଏହି ସମୟରେ ବସରୁ ଅତିକମରେ ୧୦ ଜଣରୁ ଅଧିକ ତୀର୍ଥଯାତ୍ରୀ ଡେଇଁ ପଡିବାରୁ ଆହତ ହୋଇଛନ୍ତି । ବସ୍ ବ୍ରେକ ଫେଲ ହେବା ନେଇ ଡ୍ରାଇଭର କହିବା ପରେ ଯାତ୍ରୀମାନେ ଡେଇଁପଡିଥିଲେ । ତେବେ ଘଟଣାରେ କୌଣସି ମୃତାହତ ସୂଚନା ନାହିଁ।
ସୂଚନା ମୁତାବକ, ବସରେ ୪୦ ତୀର୍ଥଯାତ୍ରୀ ରହିଥିଲେ । ସେମାନେ ପଞ୍ଜାବ ହୋଶିୟାରପୁରରୁ ଫେରୁଥିଲେ । ବନିହାଲ ନିକଟରେ ନଚଲାନା ପାଖରେ ପହଞ୍ଚିବା ପରେ ବସ୍ର ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ଡ୍ରାଇଭର ଗାଡି ରୋକିବାକୁ ଅସଫଳ ରହିଥିଲେ । ଏହି ଘଟଣାରେ ଅତିକମରେ ୧୦ ଜଣ ଆହତ ହୋଇଛନ୍ତି । ଆହତ ମଧ୍ୟରେ ୬ ଜଣ ପୁରୁଷ ଏବଂ ୩ ଜଣ ମହିଳା ଆଉ ଜଣେ ପିଲା ରହିଛି । ତୀର୍ଥଯାତ୍ରୀ ଚଳନ୍ତା ବସରୁ ଡେଇଁବା ଦେଖି ସେନା ଯବାନ ଏବଂ ପୋଲିସ ବସ ଚକା ତଳେ ପଥର ରଖି ବସକୁ ନଦୀରେ ଖସିପଡିବାରୁ ରକ୍ଷା କରିଥିଲେ । ସେନା ଟିମ୍ ଆମ୍ବୁଲାନ୍ସ ସହିତ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଚିକିତ୍ସା ସହାୟତା ଏବଂ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି ।