ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା, ଚଳିତ ବର୍ଷ ପଞ୍ଜିକରଣ କରିଛନ୍ତି ୩ଲକ୍ଷ ୫୦ ହଜାର ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : ଆରମ୍ଭ ହେଲା ଅମରନାଥ ଯାତ୍ରା । ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରୀ । ଦେବଦେବ ମହାଦେବଙ୍କ ଦର୍ଶନ ପାଇଁ ବେସ୍ କ୍ୟାମ୍ପରୁ ଆରମ୍ଭ ହୋଇଛି ଯାତ୍ରା । ଧାର୍ମିକ ଭାବାବେଗ ସହ ପ୍ରଥମ ପର୍ଯ୍ୟାୟ ଯାତ୍ରୀ ବେସ୍ କ୍ୟାମ୍ପ ଛାଡ଼ିଛନ୍ତି। କିଏ ଚାଲିଚାଲି ତ କିଏ ଘୋଡ଼ା ପିଠିରେ ଯାତ୍ରା କରୁଛନ୍ତି । ବାବାଙ୍କ ଦର୍ଶନ ପାଇଁ ପାହାଡ଼ ଛାତିରେ ଆଗକୁ ବଢ଼ୁଛନ୍ତି ଯାତ୍ରୀ । ପହଲଗାମ ନୁନୱାନ ବେସ୍ କ୍ୟାମ୍ପ ଏବଂ ବଲତାଲ ବେସ୍ କ୍ୟାମ୍ପରୁ ଯାତ୍ରା ଆରମ୍ଭ ହୋଇଛି। ଦୁଇଟି ରାସ୍ତା ଦେଇ ଅମରନାଥକୁ ଯାଉଛନ୍ତି ଶ୍ରଦ୍ଧାଳୁ । ପହଲଗାମ ରାସ୍ତା ୪୮ କିଲୋମିଟର ହୋଇଥିବା ବେଳେ ବଲତାଲ ରାସ୍ତା ୧୪ କିଲୋମିଟର।

ଅମରନାଥଙ୍କ ଦର୍ଶନ ଆଷାଢ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଅର୍ଥାତ୍ ବାବା ଅମରନାଥ ଭକ୍ତମାନଙ୍କୁ ଦୁଇମାସ ଧରି ଦର୍ଶନ ଦେଇଥାନ୍ତି । ଭଗବାନ ଶିବଙ୍କର ଏକ ପ୍ରମୁଖ ତୀର୍ଥସ୍ଥାନ ଅମରନାଥ ଧାମ ଭଗବାନ ଶିବଙ୍କର ଦୁର୍ଲଭ ଏବଂ ପ୍ରାକୃତିକ ଦର୍ଶନ ପାଇଥାନ୍ତି ଭକ୍ତମାନେ । ଆଜିଠୁ ଆରମ୍ଭ ହୋଇଥିବା ଯାତ୍ରା ଅଗଷ୍ଟ ୧୯ରେ ଶେଷ ହେବ। ମୋଟ ୫୨ ଦିନର ଅମରନାଥ ଯାତ୍ରା । ପ୍ରଥମ ବ୍ୟାଚ୍ ଯାତ୍ରା ପାଇଁ କାଶ୍ମୀର ଉପତ୍ୟାକାରେ ଶୁକ୍ରବାର ୪ହଜାର ୬୦୩ ଯାତ୍ରୀ ପହଞ୍ଚିଥିଲେ। ଚଳିତ ବର୍ଷ ଅମରନାଥ ଯାତ୍ରା ପାଇଁ ମୋଟ ୩ଲକ୍ଷ ୫୦ ହଜାର ଶ୍ରଦ୍ଧାଳୁ ପଞ୍ଜିକରଣ କରିଛନ୍ତି। ଅମରନାଥ ଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।