ଜାରି ହେଲା ୧୦ ଲକ୍ଷ ଟଙ୍କିଆ ନୋଟ୍, କିନ୍ତୁ ଏଥିରେ କିଣିହେବ ମାତ୍ର ଅଧକିଲୋ ଚାଉଳ
ବଜାରକୁ ଆସିଲା ୧୦ ଲକ୍ଷ ଟଙ୍କିଆ ନୋଟ୍। ବିଶ୍ୱାସ ଲାଗୁନଥିଲେ ବି ଏହା ସତ। ସାଉଥ ଆମେରିକା ମହାଦ୍ୱୀପର ଦେଶ ଭେନେଜୁଏଲା ଦୁନିଆର ପ୍ରଥମ ଦେଶ ଭାବେ ୧୦ ଲକ୍ଷ ଟଙ୍କିଆ ନୋଟ୍ ଜାରି କରିଛି। ମିଳିଥିବା ସୂଚନାନୁସାରେ, ଭୀଷଣ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବାରୁ ଭେନେଜୁଏଲା ବାଧ୍ୟ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଛି। ବଢ଼ୁଥିବା ଦରଦାମ୍ ସହ ଲଢ଼ିବା ପାଇଁ ଶନିବାର ଭେନେଜୁଏଲା ୧୦ ଲକ୍ଷ ବୋଲିଭରର ନୂଆ ନୋଟ୍ ଜାରି କରିଛି।
ଭେନେଜୁଏଲାର ସେଣ୍ଟ୍ରାଲ ବ୍ୟାଙ୍କର ଅଫିସିଆଲ ଟ୍ଵିଟର ପେଜ୍ରେ ଏହି ନୋଟ୍ ଜାରି କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଟ୍ଵିଟ୍ରେ ଲେଖାଯାଇଛି, ଭେନେଜୁଏଲାର ସେଣ୍ଟ୍ରାଲ ବ୍ୟାଙ୍କ ତିନିଟି ନୂଆ ନୋଟ୍ ଜାରି କରିଛି। ଏଥିରେ ୧୦ ଲକ୍ଷ ବୋଲିଭରର ନୋଟ୍ ମଧ୍ୟ ରହିଛି। ତେବେ ଏତେ ବଡ଼ ନୋଟ୍ ଜାରି କରିଥିଲେ ମଧ୍ୟ ଏହାର ମୂଲ୍ୟ ଅଧଡଲାର ସହ ସମାନ ବୋଲି କୁହାଯାଉଛି, ଅର୍ଥାତ୍ ୩୦ ଟଙ୍କା। ଏଥିରେ କେବଳ ଜଣେ ଅଧ କିଲୋ ଚାଉଳ ହିଁ କିଣିପାରିବ।
BCV amplía Cono Monetario vigente con incorporación de tres nuevos billetes https://t.co/IppXQItxz1 #BCV 🇻🇪 pic.twitter.com/WgDavsmLob
— Banco Central de Venezuela (@BCV_ORG_VE) March 5, 2021
ପ୍ରକାଶ ଯେ ଭେନେଜୁଏଲା ଏବେ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ଏଠାରେ ଲୋକଙ୍କ ପାଖରେ ଦୁଇ ଓଳା ଖାଇବା ପାଇଁ ମଧ୍ୟ ଖାଦ୍ୟ ନାହିଁ। ବର୍ଦ୍ଧିତ ମୁଦ୍ରାସ୍ପୀତି ଯୋଗୁ ଏବେ ଦେଶରେ ଖାଦ୍ୟ ସାମଗ୍ରୀର ଦର ମହଙ୍ଗା ହୋଇଯାଇଛି। ଏବେ ଦେଶର ତୈଳ କୂପଗୁଡ଼ିକ ମଧ୍ୟ ବନ୍ଦ ପଡ଼ିଛି। ଏଥିସହ ଆମେରିକାର ପ୍ରତିବନ୍ଧକ ଓ କରୋନା ଯୋଗୁ ହୋଇଥିବା ଲକ୍ଡାଉନ୍ କାରଣରୁ ମଧ୍ୟ ଭେନେଜୁଏଲାରେ ଆର୍ଥିକ ସଙ୍କଟ ଦେଖାଦେଇଛି। ୨୦୨୧ ଶେଷ ବେଳକୁ ଏହି ସଙ୍କଟ ଆହୁରି ବଢ଼ିଯାଇଥିବ ବୋଲି କୁହାଯାଉଛି।