ଭାରତ ସମେତ ୧୧ଟି ଦେଶକୁ ‘ଧମକ’ ଦେଲେ ଡୋନାଲ୍ଡ ଟ୍ରମ୍ପ୍‌

ନୂଆଦିଲ୍ଲୀ: ସୋମବାର ଶପଥ ଗ୍ରହଣ ପରେ ଡୋନାଲ୍ଡ ଟ୍ରମ୍ପ ୪୭ତମ ରାଷ୍ଟ୍ରପତି ଭାବରେ ଆମେରିକାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ କାର୍ଯ୍ୟନୁଷ୍ଠାନ ନେବା ମଧ୍ୟ ଆରମ୍ଭ କରିଛନ୍ତି । ଆଗାମୀ ବର୍ଷଗୁଡ଼ିକରେ ଆମେରିକାର ଆଭିମୁଖ୍ୟ କ’ଣ ହେବ ତାହାର ଏକ ଝଲକ ଟ୍ରମ୍ପ ସମଗ୍ର ବିଶ୍ୱକୁ ଦେଇଛନ୍ତି ।

ଶପଥ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ମେକ୍ସିକୋ ଉପରେ ଶୁଳ୍କ ଘୋଷଣା କହିଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ ଫେବୃଆରୀ ୧ଠାରୁ କାନାଡା ଏବଂ ମେକ୍ସିକୋ ଉପରେ ଆମେରିକା ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଯାଉଛି । ଏହା ସହିତ ସେ ନିଜର ପୁରୁଣା ଧମକକୁ ମଧ୍ୟ ଦୋହରାଇଛନ୍ତି । ବ୍ରିକ୍ସ ଦେଶଗୁଡ଼ିକୁ ଧମକ ଦେଇ ସେ କହିଛନ୍ତି ଯେ, ଆଗାମୀ ଦିନରେ ଯଦି କୌଣସି ବ୍ରିକ୍ସ ଦେଶ ଆମେରିକୀୟ ବିରୋଧୀ ନୀତି ଆପଣାଏ ତାହେଲେ ସ୍ପେନ ସମେତ ସମସ୍ତ ବ୍ରିକ୍ସ ଦେଶ ଉପରେ ୧୦୦% ଶୁଳ୍କ ଲାଗୁ କରାଯାଇପାରେ ।

ଏନେଇ ଟ୍ରମ୍ପ ଡିସେମ୍ବର ୨୦୨୪ରେ ଉକ୍ତ ଦେଶଗୁଡ଼ିକୁ ସୂଚିତ ମଧ୍ୟ କରିଥିଲେ । ସେ କହିଥିଲେ ଯେ, ଯଦି ଆମେରିକୀୟ ଡଲାରକୁ ଦୁର୍ବଳ କରିବାକୁ କିମ୍ବା ଡଲାର ତୁଳନାରେ ଅନ୍ୟ କୌଣସି ମୁଦ୍ରାକୁ ସମର୍ଥନ କରିବାକୁ ବ୍ରିକ୍ସ ଦେଶ ଏକ ନୂତନ ମୁଦ୍ରା ସୃଷ୍ଟି କରେ, ତେବେ ଆମେରିକା ସେମାନଙ୍କ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବା ସହିତ ଆମେରିକାରେ ସେମାନଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବ ।

ସୂଚନାଯୋଗ୍ୟ, ବର୍ତ୍ତମାନ ମୋଟ୍‌ ୧୦ ଟି ଦେଶ ବ୍ରିକ୍ସରେ ସାମିଲ ହୋଇଛନ୍ତି । ଯେଉଁଥିରେ ବ୍ରାଜିଲ, ଋଷ, ଭାରତ, ଚୀନ୍‌, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତଭୁର୍କ୍ତ । ସ୍ପେନ ବ୍ରିକ୍ସର ଏକ ଅଂଶ ହୋଇନଥିଲେ ମଧ୍ୟ ଏହା ଆମେରିକାର ସୀମାରେ ଆସୁଥିବାରୁ ଟ୍ରମ୍ପ୍‌ ଏହା ଉପରେ ମଧ୍ୟ କଟକଣା ଲଗାଇଛନ୍ତି ।

ସେପଟେ, ଯଦି ଟ୍ରମ୍ପଙ୍କ ଧମକ ସତ ବୋଲି ପ୍ରମାଣିତ ହୁଏ ତେବେ ବ୍ରିକ୍ସ ଦେଶ ପାଇଁ ଏହା ଏକ ବଡ଼ ସମସ୍ୟା ହେବ । ଏଥି ସହିତ ଟ୍ରମ୍ପଙ୍କ ଏହି ଧମକ ଭାରତ ଉପରେ ମଧ୍ୟ ବଡ଼ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି ।

You might also like