ଆମେରିକାର ଫିଲାଡେଲଫିଆରେ ବିମାନ ଦୁର୍ଘଟଣା, ୬ ମୃତ

ଆମେରିକାରେ ପୁଣି ବିମାନ ଦୁର୍ଘଟଣା । ୱାଶିଂଟନ୍ ପରେ ଫିଲାଡେଲଫିଆରେ ବିମାନ ଦୁର୍ଘଟଣା ହୋଇଛି । ଫିଲାଡେଲଫିଆ ଏୟାରପୋର୍ଟ ଠାରୁ ମାତ୍ର ୫ କିଲୋମିଟର ଦୂରରେ ଏକ ଛୋଟ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଏକ ଜନବସତିରେ ଖସି ପଡ଼ିଥିବାରୁ ବଡ଼ କ୍ଷୟକ୍ଷତି ହୋଇଛି । ବିମାନ ଖସି ପଡ଼ିଥିବା ସ୍ଥାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏକାଧିକ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇଛନ୍ତି ।

ସ୍ଥାନୀୟ ଲୋକଙ୍କୁ ସେହି ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି । ରାସ୍ତାକୁ ବନ୍ଦ କରିଦିଆଯାଇଛି । ଦୁର୍ଘଟଣାରେ ପାଇଲଟଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ବିମାନରେ ପାଇଲଟଙ୍କୁ ମିଶାଇ ମୋଟ ୬ ଜଣ ଯାତ୍ରୀ ଥିଲେ । କ୍ଷୟକ୍ଷତି ଆକଳନ କରାଯାଉଛି । ବିମାନଟି ଟେକ୍ ଅଫ୍ କରିବାର ମାତ୍ର ୩୦ ସେକେଣ୍ଡ ପରେ ରାଡାରରୁ ଅଦୃଶ୍ୟ ହୋଇ ଯାଇଥିଲା ବିମାନ । ବିମାନ ଖସି ପଡ଼ିବା ବେଳେ ୧ ହଜାର ୬୫୦ ଫୁଟ ଉପରେ ଥିଲା ।

ଦୁର୍ଘଟଣା ପେନସିଲଭେନିଆ ସହରର ରୁଜଭେଲ୍ଟ ମଲ୍ ନିକଟରେ ହୋଇଛି । ବିମାନ ଖସିଥିବା ଅଞ୍ଚଳରେ ଅନେକ ଘର ଏବଂ ଦୋକାନ ରହିଛି । ବିମାନ ଖସିବା ପରେ ଅନେକ ଘର ଜଳିଯାଇଛି । ତେବେ ଦୁର୍ଘଟଣା କାହିଁକି ହେଲା ତା’ର ଯାଞ୍ଚ ଚାଲିଛି ।

ସୂଚନାଯୋଗ୍ୟ, ଆମେରିକାର ୱାଶିଂଟନ ଡିସିରେ ରିଗାନ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଏକ ଯାତ୍ରୀବାହୀ ବିମାନ ଓ ଆର୍ମି ହେଲିକପ୍ଟର ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା । ଆମେରିକା ଏୟାରଲାଇନ୍ସର ୫୩୪୨ ବିମାନ ୱିଚିଟା, କେନସସରୁ ଉଡାଣ ଭରି ୱାଶିଂଟନ ଡିସିକୁ ଆସୁଥିଲା । ରନୱେରେ ଲାଣ୍ଡିଂ କରିବା ସମୟରେ ଏକ ମିଲିଟାରୀ ହେଲିକପ୍ଟର ବ୍ଲାକ୍ ହକ୍ ଧକ୍କା ହୋଇଥିଲା । ଧକ୍କା ହେବା ପରେ ଭୟଙ୍କର ନିଆଁ ଲାଗିଯାଇଥିଲା ଆଉ ବିମାନଟି ନଦୀରେ ଖସିପଡିଥିଲା ।  ଏବେ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇ ୱାଶିଂଟନ ଫାୟାର ଚିଫ୍ କହିଛନ୍ତି ଯେ ଏହି ଦୁର୍ଘଟଣାରେ ସମସ୍ତ ୬୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

Also Read : ଆମେରିକା: ବିମାନ ଓ ହେଲିକପ୍ଟର କ୍ରାସରେ ସମସ୍ତ ୬୭ ଯାତ୍ରୀ ମୃତ ! ଧକ୍କା ପରେ ୩ ଖଣ୍ଡ ହୋଇଥିଲା ବିମାନ