ଫିନ୍‌ଲ୍ୟାଣ୍ଡରେ ଏକାଠି ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ନୁଆଦିଲ୍ଲୀ: ହାତ ମିଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ ଓ ଭ୍ଲାଦିମିର ପୁଟିନ୍‌। ଫିନ୍‌ଲ୍ୟାଣ୍ଡ ରାଜଧାନୀ ହେଲ୍‌ସିଙ୍କିରେ ଶିଖର ବୈଠକରେ ଏକାଠି ହୋଇଛନ୍ତି ଦୁଇ ନେତା। ଉଭୟଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି। ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମସ୍କୋର ହସ୍ତକ୍ଷେପକୁ ଭୁଲି ରୁଷକୁ ପ୍ରଶଂସା କରିଥିଲେ ଡୋନାଲ୍ଡ ଟ୍ରମ୍ପ। ଏଥିପାଇଁ ରୁଷ ନୁହେଁ, ବରଂ ଆମେରିକାକୁ ସେ ଦାୟୀ କରିଥିଲେ।

କିଛି ଦିନ ତଳେ ଆମେରିକା ନେତୃତ୍ୱରେ ସିରିଆ ଉପରେ ହମଲାକୁ ନେଇ ଓ୍ଵାସିଂଟନ୍‌ ଓ ମସ୍କୋ ମୁହାଁମୁହିଁ ହୋଇଥିଲେ। ଏହାକୁ ଭୁଲି ଦୁଇ କ୍ଷମତାଶାଳୀ ରାଷ୍ଟ୍ରମୁଖ୍ୟ ପରସ୍ପର ସହ ହାତ ମିଳାଇଥିବାରୁ ଏହା ଗୁରୁତ୍ୱ ବହନ କରୁଛି। ଶିଖର ବୈଠକରେ ଏକାଠି ବସିବା ମାତ୍ରେ ଟ୍ରମ୍ପ କହିଥିଲେ, ସାରା ବିଶ୍ୱ ଆମକୁ ଏକାଠି ଦେଖିବାକୁ ଚାହୁଁଛି। ଦୁଇ ଦେଶ ମଧ୍ୟରେ ଶେଷ ପର୍ଯ୍ୟନ୍ତ ସଂପର୍କ ଅତୁଟ ରହିବ। ଏହି ସମ୍ପର୍କ ସାଧାରଣ ନୁହେଁ, ଅସାଧାରଣ ବୋଲି ଟ୍ରମ୍ପ ବର୍ଣ୍ଣନା କରିଥିଲେ।

ପୁଟିନ୍‌ କହିଥିଲେ ଦୁଇ ଦେଶ ଏକାଠି ହୋଇ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବାର ସମୟ ଆସିଛି। ଦୁଇ ନେତାଙ୍କ ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା। ଦ୍ୱିପାକ୍ଷିକ ସଂପର୍କ ବ୍ୟତୀତ ଚୀନ୍‌ ପ୍ରସଙ୍ଗ ମଧ୍ୟ ଉଠିଥିଲା। ଟ୍ରମ୍ପ ଓ ପୁଟିନ୍‌ଙ୍କ ମଧ୍ୟରେ ଏହି ଐତିହାସିକ ଶିଖର ବୈଠକ ଚିନ‌ର ଚିନ୍ତା ବଢାଇଛି।