ଦେଶୀ ଲୁକରେ ବିଦେଶୀ, ପାରମ୍ପରିକ ପୋଷାକରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ପରିବାର

ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ପରିବାର । ଉପରାଷ୍ଟ୍ରପତିଙ୍କ ୩ଟି ପିଲା ଭାରତୀୟ ପାରମ୍ପରିକ ପୋଷାକ ପିନ୍ଧି ଦିଲ୍ଲୀରେ ପହଞ୍ଚିଛନ୍ତି । ଯାହା ପରେ ସେମାନଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଭାରତ ଗସ୍ତରେ ଆସିଥିବା ଭାନ୍ସଙ୍କ ଆଠ ବର୍ଷ ପୁଅ ଇଭାନ୍ ଏବଂ ପାଞ୍ଚ ବର୍ଷୀୟ ପୁଅ ବିବେକ ଧଳା କୁର୍ତ୍ତା ପ୍ୟାଣ୍ଟ ସହିତ ହଳଦିଆ ଏବଂ ମାଟିଆ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ । ୨ ପୁଅଙ୍କ ସମେତ ତିନି ବର୍ଷୀୟ ଝିଅ ମୀରାବେଲ୍ ଏକ ନୀଳ ରଙ୍ଗର ଅନାରକଲି ଡ୍ରେସ ପିନ୍ଧିଥିଲେ । ଭାନ୍ସ ଧଳା ସାର୍ଟ ଏବଂ ଲାଲ ଟାଇ ସହିତ ବ୍ଲୁ ବ୍ଲେଜର ପିନ୍ଧିଥିବାବେଳେ ତାଙ୍କ ସ୍ତ୍ରୀ ଉଷା ଧଳା ବ୍ଲେଜର ସହ ଲାଲ୍ ଡ୍ରେସ୍ ପିନ୍ଧିଥିଲେ । ସୋମବାର ବିମାନରୁ ଓହ୍ଲାଇବା ମାତ୍ରେ ସେଠାରେ ଥିବା ଫଟୋଗ୍ରାଫରଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥିଲେ ସେମାନେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।
ଅନ୍ୟପଟେ ଜେଡି ଭାନ୍ସ ଏବଂ ତାଙ୍କ ପତ୍ନିଙ୍କ ସମେତ ୩ ପିଲା ପାଲାମ ଏୟାରପୋର୍ଟରେ ପହଞ୍ଚିବା ପରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ପରେ ପରିବାର ସହ ଅକ୍ଷରଧାମ ମନ୍ଦିରରେ ପହଞ୍ଚିଥିଲେ ଭାନ୍ସ । ୪ ଦିନିଆ ଗସ୍ତରେ ଜୟପୁର ଏବଂ ଆଗ୍ରା ମଧ୍ୟ ଗସ୍ତ କରିବେ । ଉଭୟ ନେତାଙ୍କ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି ଉପରାଷ୍ଟ୍ରପତି ଭାନ୍ସଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି । ଭାନ୍ସଙ୍କ ସହ ଅନ୍ୟ ଆମେରିକୀୟ ଅଧିକାରୀମାନେ ମଧ୍ୟ ରହିଥିବା ଜଣାଯାଇଛି ।
ସୂଚନାନୁଯାୟୀ, ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଫୋକସରେ ରହିବ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ସମ୍ପର୍କ ବୃଦ୍ଧି । ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଲଟା ଟାରିଫ ବିବାଦ ଭିତରେ, ମୋଦି-ଭାନ୍ସଙ୍କ ଆଲୋଚନା ଗୁରୁତ୍ବ ବହନ କରୁଛି । ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି ଉପରାଷ୍ଟ୍ରପତି ଭାନ୍ସଙ୍କ ସହ ଅନ୍ୟ ଆମେରିକୀୟ ଅଧିକାରୀଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି । ସେ ଜୟପୁରର ଐତିହାସିକ ସ୍ଥଳ ଓ ଆଗ୍ରାର ତାଜମହଲ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଜୟପୁରର ଅମେର ଫର୍ଟ ଓ କେତେକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ଯିବେ ଭାନ୍ସ । ୨୩ରେ ଆଗ୍ରା ଯାଇ ତାଜମହଲ ଓ ଶିଳ୍ପଗ୍ରାମ ପରିଦର୍ଶନ କରିବେ । ସଂଧ୍ୟାରେ ପୁଣି ଜୟପୁର ଫେରିଯିବେ । ୨୪ରେ ଆମେରିକା ପ୍ରତ୍ୟାବର୍ତ୍ତନ କରିବେ ଜେଡି ଭାନ୍ସ ।
Also Read : ଭାରତରେ ଆମେରିକା ଉପରାଷ୍ଟ୍ରପତି, ଫୋକସରେ ରହିବ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ବୃଦ୍ଧି