ଇତିହାସ ରଚିଲା ଆମେରିକାର ବ୍ଲାକ୍ ହକ୍ ହେଲିକାପ୍ଟର, ପ୍ରଥମ ଥର ପାଇଁ ବିନା ପାଇଲଟ୍‌ରେ ଭରିଲା ଉଡ଼ାଣ!

ବିନା ପାଇଲଟ୍‌ରେ ଉଡ଼ାଣ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆମେରିକାର ବ୍ଲାକ୍ ହକ୍ ହେଲିକାପ୍ଟର ବିନା ପାଇଲଟରେ ଉଡ଼ାଣ ଭରି ଏକ ନୂଆ ଇତିହାସ ସୃଷ୍ଟି କରିଛି। ଏହି ହେଲିକାପ୍ଟର ୫ ଫେବୃଆରୀରେ ପ୍ରଥମ ଥର ପାଇଁ ବିନା ପାଇଲଟରେ ଉଡ଼ାଣ ଭରିଥିଲା। କହି ରଖୁଛୁ କି, ସାଧାରଣତଃ ଏହି ହେଲିକାପ୍ଟରକୁ ଦୁଇଜଣ ପାଇଲଟ୍ ହିଁ ଉଡ଼ାଇ ଥାଆନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହେଲିକାପ୍ଟରଟି ପ୍ରାୟ ୪୦୦୦ ଫୁଟ ଉଚ୍ଚତାରେ ଘଣ୍ଟା ପ୍ରତି ୧୧୫ରୁ ୧୨୫ ମାଇଲ୍‌ ବେଗରେ ଉଡିଥିଲା। ପାଖାପାଖି ୩୦ ମିନିଟ୍ ଉଡ଼ାଣ ଭରିବା ପରେ ଏହାର ସଫଳ ଅବତରଣ ମଧ୍ୟ ହୋଇଥିଲା।

ଏହି ପରୀକ୍ଷାମୂଳକ ଉଡ଼ାଣର ପ୍ରସ୍ତୁତି କେଣ୍ଟୁକି ସହରରେ କରାଯାଇଥିଲା, ଯେଉଁଠାରେ କମ୍ପ୍ୟୁଟର ସାହାଯ୍ୟରେ ଏକ ଭର୍ଚୁଆଲ୍ ସହର ସୃଷ୍ଟି କରାଯାଇଥିଲା। ଏଥିରେ ଟେକ୍ନୋଲୋଜି ସାହାଯ୍ୟରେ କାଳ୍ପନିକ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରାଯାଇଥିଲା। ବ୍ଲାକ୍ ହକ୍ ଏହି ସମସ୍ତ ବାଧାକୁ ଅତିକ୍ରମ କରି ସଫଳତାପୂର୍ବକ ଉଡ଼ାଣ ପୂରା କରିଥିଲା। କୁହାଯାଉଛି ଯେ ଏହି ସଫଳତାରେ ଉତ୍ସାହିତ ହୋଇ ଆମେରିକା ଦୁଇ ଦିନ ପରେ ପୁଣିଥରେ ବିନା ପାଇଲଟରେ ବ୍ଲାକ୍ ହକ୍ ହେଲିକାପ୍ଟରକୁ ଉଡ଼ାଇଥିଲା। ଯଦିଓ ଏ ବିଷୟରେ ଅଫିସିଆଲି ଭାବେ କୌଣସି ସୂଚନା ମିଳି ପାରି ନାହିଁ।

ବ୍ଲାକ୍ ହକ୍ ହେଲିକାପ୍ଟରର ଖାସିୟତ୍‌

-ବ୍ଲାକ୍ ହକ୍ ହେଲିକାପ୍ଟର ପ୍ରତି ଘଣ୍ଟାରେ ୩୫୭ କିଲୋମିଟର ବେଗରେ ଉଡ଼ାଣ ଭରିପାରେ। ଅପରେସନାଲ୍‌ ରେଞ୍ଜ ରହିଛି ୫୮୩ କିଲୋମିଟର।

-ଏଥିରେ ଜେନେରାଲ୍ ଇଲେକ୍ଟ୍ରିକର T-700-GE-701C / D ଟର୍ବୋଶଫ୍ଟ ଇଞ୍ଜିନ୍ ଲଗାଯାଇଛି।

-ଏହା ୯୯୭୯ କିଲୋଗ୍ରାମ ଓଜନ ସହିତ ଉଡ଼ାଣ ଭରିପାରେ।

-ଏହାର ଗୋଟିଏ ୟୁନିଟର ମୂଲ୍ୟ ହେଉଛି ୨୧୩୦୦୦୦୦ ଡଲାର।

-ଆମେରିକା ବ୍ୟତୀତ ଅନେକ ଦେଶର ଏୟାରଫୋର୍ସ ଏହି ହେଲିକାପ୍ଟର ବ୍ୟବହାର କରନ୍ତି। ସେହି ଦେଶଗୁଡିକ ହେଉଛନ୍ତି ଜାପାନ, କଲମ୍ବିଆ, ଦକ୍ଷିଣ କୋରିଆ, ଇସ୍ରାଏଲ, ବ୍ରାଜିଲ, ଚୀନ୍, ମେକ୍ସିକୋ ଓ ଫିଲିପାଇନ୍ସ।

-କୁହାଯାଉଛି ଯେ ତାଲିବାନ ପାଖରେ ମଧ୍ୟ ଏହି ହେଲିକାପ୍ଟର ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.