ବାର୍ଡ ଫ୍ଲୁରେ ପ୍ରଥମ ରୋଗୀ ମୃତ୍ୟୁ…, ଆମେରିକାରେ ଆତଙ୍କ ସୃଷ୍ଟି କଲା H5N1 ଭାଇରସ୍

ଆମେରିକାରେ ବାର୍ଡ ଫ୍ଲୁ ଆତଙ୍କ । ଲୁଇସିୟାନାରେ ବାର୍ଡ ଫ୍ଲୁକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଏଠାରେ ବାର୍ଡ ଫ୍ଲୁରେ ସଂକ୍ରମିତ ୬୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । କିଛି ଦିନ ତଳେ ଏହି ରୋଗୀଙ୍କୁ ସାଉଥ୍ ଷ୍ଟେଟର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) H5N1 ଭାଇରସ୍ ମଣିଷକୁ ବ୍ୟାପିବାର ଏହା ପ୍ରଥମ ମାମଲା ବୋଲି କହିଛି ।

ଆମେରିକାରେ ବର୍ତ୍ତମାନ ବାର୍ଡ ଫ୍ଲୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଲୁଇସିୟାନାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ସାଧାରଣ ଲୋକଙ୍କ ମଧ୍ୟରେ ଏହାର ବିପଦ କମ୍ ରହିଛି । କିନ୍ତୁ ଯେଉଁ ଲୋକ ପକ୍ଷୀ, କୁକୁଡ଼ା ଏବଂ ଗାଈଙ୍କ ସହିତ ୨୪ ଘଣ୍ଟା ରହୁଛନ୍ତି ଅର୍ଥାତ୍ ସେମାନଙ୍କ କାମ କରୁଛନ୍ତି, ସେମାନଙ୍କୁ ବର୍ତ୍ତମାନ ସତର୍କ ରହିବା ଜରୁରୀ ।

ଏକ ରିପୋର୍ଟ ମୁତାବକ, ନନ୍-କମର୍ସିଆଲ୍ ଜଙ୍ଗଲି ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା ପରେ ବ୍ୟକ୍ତି ଜଣକ ସଂକ୍ରମିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ପ୍ରକାର ନିଶ୍ଚିତ କରାଯାଇ ନାହିଁ । H5N1 ଭାଇରସ୍ ଉପରେ ନଜର ରଖିବା ପାଇଁ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି ।

ପକ୍ଷୀଙ୍କଠାରୁ ମଣିଷକୁ ବ୍ୟାପିଥିବା ବାର୍ଡ ଫ୍ଲୁକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି । ଆଗକୁ ଏହା ଗମ୍ଭୀର ରୂପ ନେଇପାରେ । ଏହା ଉପରେ ଗବେଷଣା ଜାରି ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।