ଏବେ ଆଉ ଶୁଭିବନି ଅମିତାଭଙ୍କ ଆଓ୍ଵାଜରେ କଲର ଟ୍ୟୁନ୍, ଜସ୍ଲିନ୍ ଭଲ୍ଳା ନେଲେ ତାଙ୍କ ସ୍ଥାନ
ମୁମ୍ବାଇ : କରୋନା ସମୟରେ ଲୋକଙ୍କୁ ସଚେତନ କରିବା ପାଇଁ ମୋଦି ସରକାର ଅନେକ କିଛି ପଦକ୍ଷେପ ନେଇଥିଲେ । ଫୋନ୍ର କଲର ଟ୍ୟୁନ୍ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଥିଲେ । ଏହି କଲର ଟ୍ୟୁନ୍ ଅଭିନେତା ଅମିତାଭ ବଚ୍ଚନଙ୍କ କଣ୍ଠ ସ୍ୱରରେ ଶୁଣିବାକୁ ମିଳୁଥିଲା । ଲୋକେ ଦୀର୍ଘ ୬ ମାସ ଧରି ଅମିତାଭଙ୍କ କଣ୍ଠସ୍ୱର ଶୁଣି ଶୁଣି ବୋର ହୋଇଯାଇଥିଲେ ।

ଏହାଛଡ଼ା କୈାଣସି ଜରୁରୀ ଫୋନ୍ କରିବା ବେଳେ ମଧ୍ୟ ଏହି କଲର ଟୋନ୍ ବେଶୀ ଅସୁବିଧା କରୁଥିଲା । ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ବର୍ଗରୁ ଅଭିଯୋଗ ହୋଇଆସୁଥିଲା । ସରକାର ଏବେ ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ କରିଛନ୍ତି । ଆଉ ଅମିତାଭଙ୍କ କଲର ଟ୍ୟୁନ୍ ଶୁଣିବାକୁ ମିଳିବ ନାହିଁ । ତେବେ ଅମିତାଭଙ୍କ କରୋନା ସଚେତନତା ସମ୍ପର୍କିତ କଲର ଟ୍ୟୁନ୍ ସ୍ଥାନରେ ଜସ୍ଲୀନ୍ ଭଲ୍ଲାଙ୍କ ଆଓ୍ଵାଜ ଶୁଣିବାକୁ ମିଳିବ । ତେବେ ଏହି କଲର ଟ୍ୟୁନ୍ ଭ୍ୟାକ୍ସିନ ସମ୍ପର୍କିତ ଟ୍ୟୁନ୍ ହେବ । ଏହା ଇଂରାଜୀ ଓ ହିନ୍ଦୀ ଦୁଇଟି ଭାଷାରେ ଶୁଣିବାକୁ ମିଳିବ ।

ପୂର୍ବରୁ ମଧ୍ୟ ଜସ୍ଲୀନ୍ ଭଲ୍ଲାଙ୍କ ସ୍ୱରରେ କଲର ଟ୍ୟୁନ୍ ଶୁଣିବାକୁ ମିଳିଛି । ଯଥା ‘କରୋନା ଭାଇରସ ୟା କୋଭିଡ୍-୧୯ ସେ ଆଜ୍ ପୁରା ଦେଶ ଲଢ଼୍ ରହା ହେ । ମଗର ୟାଦ ରହେ ହମେ ବିମାରୀ ସେ ଲଢ଼ନା ହେ, ବୀମାର ସେ ନହିଁ । ଉନ୍ସେ ଭେଦଭାବ ନ କରେ…’। ଜସ୍ଲୀନ୍ଙ୍କ ଏହି କଲର ଟ୍ୟୁନ୍ ପୂର୍ବରୁ ଆପଣ ଶୁଣିଛନ୍ତି ।
ଜସ୍ଲୀନ୍ ଭଲ୍ଲା ତାଙ୍କର କ୍ୟାରିଅର ପତ୍ରକାର ଭାବେ ଆରମ୍ଭ କରିଥିଲେ । ତାଙ୍କର ସ୍ୱର ଦିଲ୍ଲୀ ମେଟ୍ରୋ, ସ୍ପାଇସ୍ ଜେଟ୍ ଏବଂ ଭାରତୀୟ ବିମାନରେ ଶୁଣିବାକୁ ମିଳେ । ପ୍ରକାଶଯୋଗ୍ୟ ଯେ ଅମିତାଭଙ୍କ କଲର ଟ୍ୟୁନ୍ ବନ୍ଦ କର ିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ୍ ଦାୟର କରାଯାଇଥିଲା । ଅମିତାଭଙ୍କ ସ୍ୱର ଶୁଣି ଶୁଣି ଲୋକେ ବିରକ୍ତ ହୋଇଯାଇଥିଲେ । ତେଣୁ ଏହାକୁ ହଟାଇବା ପାଇଁ ଲୋକେ ଦାବି କରିଥିଲେ । ଏବେ ଠୁ ଆଉ ଅମିତାଭଙ୍କ ସ୍ୱର ଶୁଣିବାକୁ ମିଳିବ ନାହିଁ । ଏବେ ଜସ୍ଲୀନ ଭଲ୍ଲାଙ୍କ ଆଓ୍ଵାଜରେ ଶୁଣିବାକୁ ମିଳିବ ଭ୍ୟାକ୍ସିନ୍ ସମ୍ପର୍କିତ କଲର ଟ୍ୟୁନ୍ ।